ମୁମ୍ବଇ : ବ୍ଲକବଷ୍ଟର ସୁପର ହିଟ୍ ଫିଲ୍ମ ବାହୁବଳୀର ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଲି ତାଙ୍କର ପରବର୍ତ୍ତୀ ଫିଲ୍ମ ‘ଆର ଆର ଆର’ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଫିଲ୍ମରେ ପ୍ରଥମ ଥର ପାଇଁ ରାମ ଚରଣ, ଜୁନିଅର ଏନଟିଆର ଏବଂ ଅଜୟ ଦେବଗନଙ୍କ ପରି ମେଗାଷ୍ଟାର ଲିଡ୍ ରୋଲରେ ନଜର ଆସିବେ। ଏଥିରେ ପୂର୍ବରୁ ବଲିଉଡ ନାୟିକା ଆଲିଆ ଭଟ୍ଟ ଅଭିନୟ କରିବାକୁ ଥିବା ଶୁୁଣାଯାଉଥିଲା। ମାତ୍ର ଆଲିଆଙ୍କ ପାଖରେ ଅନେକ ଫିଲ୍ମ ଅଫର ଥିବାରୁ ସେ ଏଥିପାଇଁ ସମୟ ଦେଇପାରିବେନି ବୋଲି କହିଥିବା ଜଣାପଡ଼ିଛି। ତେବେ ଆଲିଆଙ୍କ ସ୍ଥାନରେ ପୂର୍ବତନ ବିଶ୍ୱ ସୁନ୍ଧରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଅଭିନୟ ପାଇଁ ଅଫର ଦିଆଯାଇଛି। ଏଥିରେ ପ୍ରିୟଙ୍କା ରାମ ଚରଣଙ୍କ ନାୟିିକା ଭାବେ ନଜର ଆସିବାକୁ ଥିବା ସୂଚନା ମିଳିଛି।

ଶୁଣାଯାଉଛି ଯେ ‘ଆର ଆର ଆର’ ଫିଲ୍ମର ନାମ ରାଜମୌଲୀ, ରାମଚରଣ ଏବଂ ରାମା ରାଓଙ୍କ ନାମାନୁସାରେ ରଖାଯାଇଛି। ପ୍ରକୃତରେ ଏହି ଫିଲ୍ମର ନାମ ହେଉଛି ‘ରାମା ରାବଣା ରାଜ୍ୟମ୍’ । ଡିଭିଭି ଏଣ୍ଟରଟେନମେଣ୍ଟ ବ୍ୟାନରରେ ନର୍ମିତ ଏହି ଫିଲ୍ମରେ ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ। ବାହୁବଳୀ ପରି ଫିଲ୍ମରେ ଜବରଦସ୍ତ ଆକ୍ସନ ରହିବ ବୋଲି ଶୁଣିବାକୁ ମିଳିଛି। ରାଜମୌଲିଙ୍କ ଦ୍ୱାରା ନିର୍ମିତ ବ୍ଲକ ବଷ୍ଟର ସିନେମା ବାହୁବଳୀର ପ୍ରଥମ ଭାଗର ବଜେଟ୍ ୧୮୦ କୋଟି ଏବଂ ଦ୍ୱିତୀୟ ପାର୍ଟର ୨୫୦ କୋଟି ହୋଇଥିବାବେଳେ ଏହି ଫିଲ୍ମର ବଜେଟ୍ ୩୦୦ କୋଟି ରହିଛି।