ଭାରତର ସାମରିକ ଶକ୍ତିକୁ ପ୍ରତିହିତ କରିବା ପାଇଁ ପାକିସ୍ତାନକୁ ନୂଆ ଯୁଦ୍ଧ ଜାହାଜ ଦେଲା ଚୀନ

ସାଙ୍ଘାଇ, ୨୫/୮ : ଭାରତର ସାମରିକ ଶକ୍ତିକୁ ପ୍ରତିହିତ କରିବା ପାଇଁ ଚୀନ ଓ ପାକିସ୍ତାନ ମିଳିତ ଭାବେ ନିଜର ହୀନ ଚକ୍ରାନ୍ତ ଜାରି ରଖିଛନ୍ତି। ଏହି କ୍ରମରେ ଚୀନ ନିଜର ୪ ସବୁଠୁ ଉନ୍ନତ ଯୁଦ୍ଧପୋତ ମଧ୍ୟରୁ ପ୍ରଥମ ଯୁଦ୍ଧପୋତକୁ ଲଞ୍ଚ କରିଛି। ଚୀନ ଏହି ଜାହାଜ ଦକ୍ଷିଣ ଏସିଆ କ୍ଷେତ୍ରରେ ଭାରତର ସୈନ୍ୟ କ୍ଷମତାର ମୁକାବିଲା ପାଇଁ ସହଯୋଗୀ ପାକିସ୍ତାନ ଉଦ୍ଦେଶ୍ୟରେ ନିର୍ମାଣ କରିଛି। ପାକିସ୍ତାନ ପାଇଁ ଟାଇପ୍-୦୫୪ ଶ୍ରେଣୀର ଦ୍ରୁତଗାମୀ କ୍ଷୁଦ୍ର ନୌସେନା ଜାହାଜ ତିଆରି କରିବା ଏହା ସ୍ପଷ୍ଟ ସଙ୍କେତ ଦେଉଛି ଯେ ଉଭୟ ଦେଶ ଭାରତର ମୁକାବିଲା ପାଇଁ ନିଜର ସେନାକୁ ମଜବୁତ କରୁଛନ୍ତି। ଏହି ଜାହାଜ ଏମିତି ସମୟରେ ଲଞ୍ଚ କରାଯାଇଛି ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଚରମରେ ରହିଛି।

ଭଏସ ଅଫ ଆମେରିକାର ପାକିସ୍ତାନ ନୌସେନା ସୂତ୍ରରୁ ପ୍ରକାଶ ଯେ ରବିବାର ସାଙ୍ଘାଇର ସିପୟାର୍ଡ ହୁଡଙ୍ଗ ଝୋଙ୍ଗହୁଆରେ ଟାଇପ -୦୫୪ଏ/ପିର ଏହି ଲଢୁଆ ଯୁଦ୍ଧପୋତକୁ ଚୀନ ଲଞ୍ଚ କରିଛି। ପାକିସ୍ତାନ ପାଇଁ ଚୀନ ଏହି ଦ୍ରୁତଗାମୀ କ୍ଷୁଦ୍ର ନୌସେନା ଜାହାଜ ନିର୍ମାଣ କରିଛି। ଏଥିରେ ଉନ୍ନତ ସୈନ୍ୟ ସରଞ୍ଜାମ ମଧ୍ୟ ଖଞ୍ଜା ଯାଇଛି। ପାକିସ୍ତାନ ନୌସେନା ଅନୁଯାୟୀ ଏହି ଯୁଦ୍ଧପୋତରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଓ ସେନସର ରହିଛି। ଆମ ସମୁଦ୍ର କ୍ଷେତ୍ରରେ ଶାନ୍ତି ଓ ସୁରକ୍ଷା କାଏମ ପାଇଁ ଏହି ଜାହାଜ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପାକିସ୍ତାନ କହିଛି।

ଏହି ଜାହାଜର ମୂଲ୍ୟ କେତେ ଏହା ଉପରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ମଧ୍ୟ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩୫୦ ମିଲିୟନ ଡଲାର ହୋଇଥିବା କୁହାଯାଉଛି। ୨୦୨୧ ସୁଦ୍ଧା ଚୀନ ଏହି ୪ ଯୁଦ୍ଧପୋତକୁ ପାକିସ୍ତାନକୁ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିବା ଚାଇନା ଗଣମାଧ୍ୟମ ସୂତ୍ରରୁ ଭଏସ ଅଫ ଆମେରିକା ପ୍ରକାଶ କରିଛି।