ମୁମ୍ବାଇ, ୨୫/୮ : ମହାରାଷ୍ଟ୍ର ରାୟଗଡରେ ୫ ମହଲା କୋଠା ଭୁଶୁଡିବାର ୨୦ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ଜୀବିତ ଅବସ୍ଥାରେ ଉଦ୍ଧାର ହେଲା ୫ ବର୍ଷର ଶିଶୁ । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଉଦ୍ଧାର ହୋଇଥିବା ମହମ୍ମଦ ବାଙ୍ଗି ନାମକ ଏହି ବାଳକଟି ସାରାରାତି ଭଗ୍ନସ୍ତୁପ ମଧ୍ୟରେ ଭୟଭୀତ ଅବସ୍ଥାରେ ଜୀବନ ଓ ମୃତ୍ୟୁର ସଂଘର୍ଷ ମଧ୍ୟରେ ବିତାଇବା ପରେ ଆଜି ସକାଳୁ ଏନଡିଆରଏଫ କର୍ମଚାରୀମାନେ ଯେତେବେଳେ ଉଦ୍ଧାର କଲେ ସେତେବେଳକୁ ସେ ସ୍ତବ୍ଧ ଅବସ୍ଥାରେ ବାକ୍ଶୂନ୍ୟ ହୋଇ ପଡ଼ିଥିଲା। ବାଳକଟିକୁ ଉଦ୍ଧାର କରାଯିବା ପରେ ଏନ୍ଡିଆରଏଫ୍ କର୍ତ୍ତୃପକ୍ଷ ତାକୁ ସେଠାରେ ଅପେକ୍ଷାରତ ଆମ୍ବୁଲାନ୍ସ ସାହାଯ୍ୟରେ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଦେଇଥିଲେ।
ସୋମବାର ରାୟଗଡରେ ଥିବା ଏହ ୫ ମହଲା କୋଠା ଭୁଶୁଡି ପଡିଥିଲା । ଏହି କୋଠାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଯାଇଥିଲେ । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଭଗ୍ନାବଶେଷ ତଳୁ ୫ ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି । ଏନଡିଆରଏଫର ଡେପୁଟି କମାଣ୍ଡାଣ୍ଟ୍ ଏନେଇ ସୂଚନା ଦେଇଛନ୍ତି । ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ମଧ୍ୟ ସୂଚନା ମିଳିଛି ।
ଏନଡିଆରଏଫ ଅଧିକାରୀଙ୍କ କହିବାନୁସାରେ, ଶିଶୁଟି ଏକ କୋଣରେ ଫସି ରହିଥିଲା । ୨ ଜଣ ଯବାନ ଭଗ୍ନାବଶେଷ ଉଠାଇବା ବେଳେ ଶିଶୁଟିକୁ ଠାବ କରାଯାଇଥିଲା । ସଙ୍ଗେସଙ୍ଗେ ତାକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।