୧୦ଜଣ ଡିଏସ୍‌ପିଙ୍କୁ ଏଏସ୍‌ପି ଭାବେ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୫/୮ : ଓଡ଼ିଶା ପୁଲିସ ସେବାରେ କାର୍ଯ୍ୟରତ ୧୦ଜଣ ଡିଏସ୍‌ପିଙ୍କୁ ଏଏସ୍‌ପି ଭାବେ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ଆଜି ଏ ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ପୁଲିସ ସେବା(ଓପିଏସ୍‌) ଗ୍ରୁପ୍‌-ଏ(ଜୁନିୟର ବ୍ରାଞ୍ଚ)ର ୧୦ଜଣ ଡିଏସ୍‌ପିଙ୍କ ପଦୋନ୍ନତି ହୋଇଛି। ପଦୋନ୍ନତି ପାଇଥିବା ଡିଏସ୍‌ପିଙ୍କୁ ଓପିଏସ୍‌ ଗ୍ରୁପ୍‌-ଏ(ସିନିୟର ବ୍ରାଞ୍ଚ)ର ଏଏସ୍‌ପି ଭାବେ ପଦୋନ୍ନତି ଦିଆଯାଇଛି। ଡେପୁଟେସନ୍‌ରେ ଯାଇଥିବା ଅଧିକାରୀଙ୍କ ବ୍ୟତୀତ ପଦୋନ୍ନତି ପାଇଥିବା ଡିଏସ୍‌ପିଙ୍କୁ ଏଏସ୍‌ପି ଭାବେ ପୁଲିସ ଡିଜି ଓ ଆଇଜି ନିଯୁକ୍ତି ନିର୍ଦେଶନାମା ପ୍ରଦାନ କରିବେ। ତେବେ ଡେପୁଟେସନ୍‌ରୁ ମୂଳ କ୍ୟାଡରକୁ ଫେରିବା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବ। ବିଭୁତି ଭୂଷଣ ରାଉତ, ରବୀନ୍ଦ୍ର କୁମାର ଦାସ, ଅମୂଲ୍ୟ କୁମାର ରାଉତରାୟ, ହର ନାରାୟଣ ପ୍ରସାଦ ପତି, ଦେବୀଦତ୍ତ ବିଶ୍ବଜୀବନ ମିଶ୍ର, ପ୍ରଦ୍ୟୁମ୍ନ କୁମାର ମିଶ୍ର, ରାଜେନ୍ଦ୍ର କୁମାର ସେନାପତି, ପ୍ରାଣକୃଷ୍ଣ ରାଉତ, ଅଶୋକ କୁମାର ଷଡ଼ଙ୍ଗୀ ଓ ଦେବନାରାୟଣ ଦାସଙ୍କୁ ଡିଏସ୍‌ପି ପାହ୍ୟାରୁ ଏଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ବୋଲି ଗୃହ ବିଭାଗର ବିଜ୍ଞପ୍ତିରେ ଦର୍ଶାଯାଇଛି।