ଭାରତରେ ଆତଙ୍କ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି ଜୈଶ ଏ ମହମ୍ମଦ : ସତର୍କ କଲା ଗୁଇନ୍ଦା ଏଜେନ୍ସି

ନୂଆଦିଲ୍ଲୀ : ପାକିସ୍ଥାନର ଆତଙ୍କବାଦୀ ସଙ୍ଗଠନ ଜୈଶ ଏ ମହମ୍ମଦ ଓ ପାକିସ୍ଥାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ଭାରତରେ ଆତଙ୍କ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି । କରୋନା ସଂକଟ କାଳରେ ଭାରତରେ ଏପରି ଷଡ଼ଯନ୍ତ୍ରର ଯୋଜନା କରିଛି ବୋଲି ସତର୍କ କରିଛି ଭାରତୀୟ ଗୁଇନ୍ଦା ଏଜେନ୍ସି ।

ସୂଚନା ଅନୁସାରେ ଆଇଏସଆଇ ଏଥିପାଇଁ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଙ୍ଗଠନକୁ ଦାୟିତ୍ୱ ଦେଇଛି । ଏପରିକି ଆବଶ୍ୟକସ୍ଥଳେ ସ୍ଥାନୀୟ ଗ୍ୟାଙ୍ଗଷ୍ଟାରମାନଙ୍କୁ ପ୍ରଚୁର ଅର୍ଥ ଦେଇ ଆତଙ୍କ ସୃଷ୍ଟି କାର୍ଯ୍ୟରେ ଲଗାଇବା ପାଇଁ ଲକ୍ଷ୍ୟ ରଖିଛି । ଗୁଇନ୍ଦା ଏଜେନ୍ସି ଏ ସମ୍ପର୍କରେ ସରକାରଙ୍କୁ ସୂଚନା ଦେଇଛି । ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଆଇଏସଆଇର ରାୱଲପିଣ୍ଡରେ ହୋଇଥିବା ଏକ ବୈଠକରେ ଜୈଶର ମୁଖ୍ୟ ମସୁଦ ଅଜହର, ମୁଫତି ଅଜଘର ଖାଁ, ରାଉଫ ଅସଗର ସହ ସକିଲ ଅହମ୍ମଦ ସାମିଲ ଥିଲେ । ଏହି ବୈଠକରେ ଏପରି ଆଲୋଚନା ହୋଇଛି ।

ଏହି ବୈଠକ ଗତ ୨୦ ତାରିଖରେ ହୋଇଥିଲା । କାଶ୍ମୀର ସହ ଦେଶର ବିିଭିନ୍ନ ଅଞ୍ଚଳରେ ବିସ୍ଫୋରଣ ଓ ଆତଙ୍କ ସୃଷ୍ଟିକାରୀ କାର୍ଯ୍ୟ ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା । ରାଉଫ ଅସଗର, ମୁଫତି ଅଜଘର ଖାଁ କାଶ୍ମିରୀ ଓ କ୍ବାରୀ ଜରାର ଇସଲାମାବାଦରୁ ଥାଇ ଏହି ବୈଠକର ଆଲୋଚନାରେ ଭାଗ ନେଇଥିଲେ । ଗୁଇନ୍ଦା ଏଜେନ୍ସି ସୂଚନା ଅନୁସାରେ ପାକିସ୍ଥାନ ଭାବୁଛି ଯେ ଭାରତର ପୁରା ଧ୍ୟାନ ଏବେ କାଶ୍ମୀରରେ ଆତଙ୍କବାଦ ନିୟନ୍ତ୍ରଣ ଉପରେ ରହିଛି । ଏହାର ସୁଯୋଗରେ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଆତଙ୍କବାଦ କାର୍ଯ୍ୟକଳାପ କରିବା ସହଜ ହେବ ବୋଲି ଆଇଏସଆଇ ଓ ଜୈଶ ଯୋଜନାକରିଛନ୍ତି ।