ହୀରାକୁଦର ଆଉ ୪ ଗେଟ୍‌ ଖୋଲିଲା, ୪୦ଟି ଗେଟ୍‌ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର, ୨୮/୭ : ଲଘୁଚାପ ବର୍ଷାର ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏହାମଧ୍ୟରେ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଆଜି ଅପରାହ୍ନରେ ହୀରାକୁଦ ଡ୍ୟାମର ପୁଣି ୪ଟି ଗେଟ୍‌ ଖୋଲିଛି। ଏଥି ସହିତ ହୀରାକୁଦ ଡ୍ୟାମ୍‌ରୁ ବର୍ତ୍ତମାନ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି।

ପୂର୍ବରୁ ବନ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଜରୁରୀ ସୂଚନା ଦେଇଛନ୍ତି। ଏସ୍‌ଆରସି ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ମହାନଦୀ ସିଷ୍ଟମ ୧୬ଲକ୍ଷ କ୍ୟୁସେକ ଯାଏଁ ଜଳ ପ୍ରବାହ ସମ୍ଭାଳିଛି। ଏବେ ବର୍ଷା କମୁଥିବା ସହ ଜଳ ପ୍ରବାହ ୧୦ରୁ ସାଢେ୧୦ ଲକ୍ଷ ମଧ୍ୟରେ ରହିବ, ଯାହା ପାଇଁ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଜଳସ୍ତର ବଢୁଥିବା ଦେଖି ମହାନଦୀ ସିଷ୍ଟମର ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି। ଏହା ସହ ବନ୍ୟା ଆଶଙ୍କା ଥିବା ଅଞ୍ଚଳକୁ ଏନଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ପଠାଯାଇଛି। କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।