ନୂଆଦିଲ୍ଲୀ, ୨୮/୮: କରୋନା ଭାଇରସ୍ ମହାମାରୀ କାରଣରୁ ସମଗ୍ର ଦେଶର ଛାତ୍ର-ଛାତ୍ରୀ ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ(ନିଟ୍) ଓ ଜଏଣ୍ଟ ଏଣ୍ଟ୍ରାନ୍ସ ଟେଷ୍ଟ(ଜେଇଇ ମେନ୍ସ) ପରୀକ୍ଷାର ବିରୋଧ କରୁଛନ୍ତି। କରୋନା ସଂକ୍ରମଣର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପରୀକ୍ଷା ସ୍ଥଗିତ ରଖିବାକୁ ପରୀକ୍ଷାର୍ଥୀ ଦାବି କରିଛନ୍ତି। ପରୀକ୍ଷାର୍ଥୀଙ୍କ ଏହି ବିରୋଧକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମର୍ଥନ ଦେଇଛନ୍ତି। ଏହାକୁ ନେଇ ରାହୁଲ ଗାନ୍ଧୀ ଅନଲାଇନ୍ କ୍ୟାମ୍ପେନ ମଧ୍ୟ ଆରମ୍ଭ କରିଛନ୍ତି।
କେରଳର ଓ୍ଵାୟନାଡରୁ ସାଂସଦ ରାହୁଲ ଗାନ୍ଧୀ ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ରଖିବାକୁ ସମର୍ଥନ କରି ଟ୍ଵିଟ୍ କରିଛନ୍ତି। ରାହୁଲ ଲେଖିଛନ୍ତି ଲକ୍ଷାଧିକ ଛାତ୍ର-ଛାତ୍ରୀଙ୍କ ଅସୁବିଧା ପ୍ରତି ସ୍ଵର ଉଠାନ୍ତୁ। ଛାତ୍ରଙ୍କ କଥା ଶୁଣିବାକୁ ସରକାରଙ୍କଠାରେ ଦାବି କରନ୍ତୁ। ଏହା ସହିତ ରାହୁଲ #SpeakUpForStudentsSafety କ୍ୟାମ୍ପେନ ଆରମ୍ଭ କରିଛନ୍ତି, ଯଦ୍ଵାରା ସରକାର ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କ ଦାବି ପହଞ୍ଚା ଯାଇପାରିବ।
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଲୋକଙ୍କୁ କ୍ୟାମ୍ପେନ ବିଷୟରେ ଅବଗତ କରାଇ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି ଅଭିଯାନରେ ସାମିଲ ହେବାକୁ ଅପିଲ୍ କରିଛନ୍ତି। ଭିଡିଓରେ ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କେତେ ରହିଛି ଏବଂ ମହାମାରୀରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ଏହାର ସୂଚନା ଦିଆଯାଇଛି। ରାହୁଲ କହିଛନ୍ତି ସରକାର ମହାମାରୀ ସମୟରେ ପରୀକ୍ଷା ଆୟୋଜିତ କରି ଛାତ୍ରଙ୍କ ସ୍ଵାସ୍ଥ୍ୟକୁ ବିପଦରେ ପକାଉଛନ୍ତି।