ଚୀନକୁ ଶିକ୍ଷା ଦେବା ପାଇଁ ଆମେରିକା ପଠାଇଲା ୫୦ ଜାହାଜ ଓ ୨୦୦ ଯୁଦ୍ଧ ବିମାନ

ୱାଶିଂଟନ, ୨୮/୭ : ଦକ୍ଷିଣ ଚୀନ ସାଗରକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଁଞ୍ଚିଛି । ବିବାଦୀୟ ଦକ୍ଷିଣ ଚୀନ ସାଗରରେ ଚୀନ୍‌ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଆମେରିକାକୁ ଡରାଇବାକୁ ଚେଷ୍ଟା କରିଥିବା ବେଳେ ଏବେ ନିଜର ଏହି ପଦକ୍ଷେପ ନିଜ ପାଇଁ ବୁମେରାଂ ସାବ୍ୟସ୍ତ ହେବାକୁ ଯାଉଛି । ଚୀନ ସେନାକୁ ଶିକ୍ଷା ଦେବା ପାଇଁ ଟ୍ରମ୍ପ ସରକାର ଏକ ସମ୍ପୂର୍ଣ୍ଣ ରଣନୀତିକ ଯୋଜନା କରିଛନ୍ତି । ଡ୍ରାଗନ୍‌କୁ ଉପଯୁକ୍ତ ଉତ୍ତର ଦେବା ପାଇଁ ଆମେରିକା ଏହାର ଯୁଦ୍ଧ ଜାହାଜ, ବୁଡ଼ାଜାହାଜ ଏବଂ ଯୁଦ୍ଧ ବିମାନକୁ ପ୍ରଶାନ୍ତ ମହାସାଗର ଅଭିମୁଖେ ପଠାଇଥିବା ଜଣାପଡିଛି ।

୫୦ଟି ମହାବିନାଶକ ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ, ୨୦୦ ଯୁଦ୍ଧ ବିମାନ, ହେଲିକପ୍ଟର ଏବଂ ୫୩୦୦ ଯବାନଙ୍କୁ ଆମେରିକା ଦକ୍ଷିଣ ଚୀନ ସାଗର ଅଭିମୁଖେ ପଠାଇଥିବା ଜଣାପଡିଛି | ଦକ୍ଷିଣ ଚୀନ ସାଗରର ବିବାଦୀୟ ଅଞ୍ଚଳରେ ଚୀନ ୪ଟି ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିବା ଆମେରିକା ପ୍ରଶାସନ ଏହାର ଜବାବ ଦେବା ପାଇଁ ଏହି ସମସ୍ତ ପ୍ରସ୍ତୁତି କରିଥିବା ଜଣାପଡିଛି ।

ଚୀନ୍‌ ସହ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଆମେରିକା ଡ୍ରାଗନକୁ ଏକ ଟ୍ରେଲର ଦେଖାଇବା ପାଇଁ ପ୍ରଶାନ୍ତ ମହାସାଗରରେ ଥିବା ହାୱାଇ ଦ୍ୱୀପପୁଞ୍ଜ ନିକଟରେ ବିଶ୍ୱର ସର୍ବବୃହତ ନୌସେନା ଯୁଦ୍ଧଭ୍ୟାସ ଆରମ୍ଭ କରିବାକୁ ଯାଉଛି । ଏହି ଯୁଦ୍ଧ ଅଭ୍ୟାସରେ ଆମେରିକା ସମେତ ଜାପାନ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ବ୍ରୁନେଇ, କାନାଡା, ନିଉଜିଲାଣ୍ଡ୍, ଦକ୍ଷିଣ କୋରିଆ, ଫିଲିପାଇନ୍ସ, ସିଙ୍ଗାପୁର ସାମିଲ ହେବେ।

ଆମେରିକାର ପ୍ରସ୍ତୁତିକୁ ଦେଖି ଆମେରିକାକୁ ମୁକାବିଲା କରିବା ପାଇଁ ଚୀନ ମଧ୍ୟ ସମସ୍ତ ପ୍ରକାରର ପ୍ରସ୍ତୁତି କରୁଛି । ଦକ୍ଷିଣ ଚୀନ୍ ସାଗରରେ ନିର୍ମିତ କୃତ୍ରିମ ଦ୍ୱୀପରେ ଚୀନ୍ ଯୁଦ୍ଧ ବିମାନ ମଧ୍ୟ ନିୟୋଜିତ କରିଛି। ଚାଇନିଜ୍ ବୁଡ଼ାଜାହାଜ ଏବଂ ଯୁଦ୍ଧ ଜାହାଜ ନିଜ ଅଞ୍ଚଳରେ ବୁଲୁଛନ୍ତି । ଦକ୍ଷିଣ ଚୀନ୍ ସାଗରକୁ ନେଇ ଜାପାନ, ମାଲେସିଆ, ଭିଏତନାମ ଏବଂ ଫିଲିପାଇନ୍ସ ସହିତ ମଧ୍ୟ ଚୀନର ବିବାଦ ଜାରି ରହିଛି । ଏଥି ସହିତ ହଂକଂକୁ ଜବରଦଖଲ କରିବା ପରେ ଚୀନ ବର୍ତ୍ତମାନ ତାଇୱାନ ଉପରେ ନଜର ପକାଇଛି । ଡ୍ରାଗନ୍ ତାଇୱାନ ନିକଟରେ ଜଳ ଏବଂ ସ୍ଥଳଭାଗରେ କାର୍ଯ୍ୟ କରିବାକୁ ସକ୍ଷମ ଯୁଦ୍ଧ ଜାହାଜ ଏବଂ ଯୁଦ୍ଧ ବିମାନ ନିୟୋଜିତ କରିଛି । ଚୀନ୍ ଆର୍ମି ମଧ୍ୟ ତାଇୱାନ ନିକଟରେ ନିରନ୍ତର ଯୁଦ୍ଧଭ୍ୟାସ ଚଳାଇଛି ।