ଭାରତୀୟ ସେନାରେ ସାମିଲ ହେବେ ରୁଷ ନିର୍ମିତ ଅତ୍ୟାଧୁନିକ ଏକେ-୨୦୩ ରାଇଫଲ

ନୂଆଦିଲ୍ଲୀ: ରୁଷ ନିର୍ମିତ ଏକେ-୨୦୩ କାଲାସନିକୋଭ ରାଇଫଲ ଆସନ୍ତା ଅ​କ୍ଟୋବରରେ ଭାରତୀୟ ସେନା ନିକଟରେ ଉପଲବ୍ଧ ହେବାର ସମ୍ଭାବନା ଅଛି। ପ୍ରଥମ ବ୍ୟାଚ୍‌ରେ ୨୦ହଜାର ରାଇଫଲ ରୁଷ୍‌ରୁ ଆସି ଭାରତରେ ପହଞ୍ଚିବ ଏବଂ ଅବଶିଷ୍ଟ ଭାରତରେ ନିର୍ମାଣ ହେବ ବୋଲି ଜଣାପଡ଼ିଛି। ଆମେଥିର କୋରୱାସ୍ଥିତ ଇଣ୍ଡୋ-ରୁଷ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ ଏହାକୁ ନିର୍ମାଣ କରିବ। ଭାରତୀୟ ସେନା ପାଇଁ ଏଥିରୁ ୬ଲକ୍ଷ ୭୦ହଜାର ଆବଶ୍ୟକ। ଏକେ-୨୦୩ ହେଉଛି ଏକେ-୧୦୩ର ଆଧୁନିକ ୨୦୦ ସିରିଜ୍‌ ବିଶିଷ୍ଟ। ଏଥିରେ ୮୦୦ମିଟର ଦୂର ନିଶାଣକୁ ଭେଦ କରିହେବ। ଭାରତ-ରୁଷ ମିଳିତ ସହଯୋରେ ନିର୍ମିତ ଏହି ରାଇଫଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କ ଦ୍ୱାରା ଉଦ୍‌ଘାଟନ ହେବ ବୋଲି ସୂଚନା ମିଳିଛି। ୨୦୧୮ ଅକ୍ଟୋବରରେ ପୁତିନଙ୍କ ଭାରତ ଗସ୍ତ ସମୟରେ ଏଥି ପାଇଁ ବୁଝାମଣା ହୋଇଥିଲା।