୨ ବର୍ଷ ବୃଦ୍ଧି ହୋଇପାରେ ଋଣ ପରିଶୋଧ ସୀମା, ସୁପ୍ରିମକୋର୍ଟକୁ କେନ୍ଦ୍ରର ସୂଚନା

ନୂଆଦିଲ୍ଲୀ, ୧/୯ : ଦେଶରେ ଲାଗି ରହିଥିବା କରୋନା ମହାମାରୀ ଓ ଅର୍ଥନୀତି ଉପରେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଋଣ ପରିଶୋଧ ଅବଧି ସ୍ଥଗିତ କରାଯାଇପାରେ ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ଅବଗତ କରାଇଛନ୍ତି। ଆଜି ସୁପ୍ରିମକୋର୍ଟରେ ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଗଜେନ୍ଦ୍ର ଶର୍ମା ଏବଂ ଆଇନଜୀବୀ ବିଶାଳ ତିୱାରୀଙ୍କ ଦ୍ୱାରା ଆଗତ ଦୁଇଟି ଆବେଦନରେ କରୋନା ମହାମାରୀ ମଧ୍ୟରେ ଋଣଦାତାମାନଙ୍କ ଋଣ ପରିଶୋଧ ଅବଧି ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି।

ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟମାନେ ମିଳିତ ଭାବେ ଆଲୋଚନା କରି ସଠିକ୍ ସମାଧାନର ରାସ୍ତା ଖୋଜନ୍ତୁ। ଆବେଦନକାରୀଙ୍କ ମଧ୍ୟରୁ ବିଶାଲ ତିୱାରୀ କହିଛନ୍ତି ଯେ ଏହା ଜନସାଧାରଣଙ୍କ ସ୍ୱାର୍ଥ ଜଡିତ ବିଷୟ ଏବଂ ସେ ଆସନ୍ତାକାଲି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ହାଜର ହେବେ। ଗତ ସପ୍ତାହରେ ତିୱାରୀ ଏବଂ ଶର୍ମାଙ୍କ ଦ୍ୱାରା ଦାଖଲ ହୋଇଥିବା ଦୁଇଟି ଆବେଦନକୁ ଶୀର୍ଷ କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଥିଲେ।