ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ, ୧/୯ : ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ସମୁଦ୍ର ବେଳାଭୂମିରେ ସୁଦର୍ଶନ ତ୍ରିରଙ୍ଗା ସହ ସ୍ଵର୍ଗତଃ ମୁଖାର୍ଜୀଙ୍କ ଚିତ୍ର ସ୍ଥାନିତ କରି ଲେଖିଛନ୍ତି, ‘ଟ୍ରିବୁଟ ଟୁ ଭାରତ ରତ୍ନ ପ୍ରଣବ ମୁଖାର୍ଜୀ’ ଅର୍ଥାତ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି।

ବାଲୁକା ଶିଳ୍ପୀ ସୁଦର୍ଶନ ପୂର୍ବତନ ରାଷ୍ଟ୍ରପତିଙ୍କୁ ମନେ ପକାଇ କହିଛନ୍ତି ଯେ ପ୍ରଣବ ମୁଖାର୍ଜୀ ବାଲୁକା ଚିତ୍ରକଳାକୁ ଭଲ ପାଉଥିଲେ ଓ ପ୍ରଶଂସା କରୁଥିଲେ। ସେ ଓଡିଶା ଆସିବା ସମୟରେ ଦୁଇ ଥର ପୁରୀ ବେଳାଭୂମିକୁ ଆସି ସୁଦର୍ଶନଙ୍କ ବାଲୁକା ଚିତ୍ର ଦେଖିଥିଲେ ଓ ସନ୍ତୋଷ ପ୍ରକାଶ କରିଥିଲେ। ସୁଦର୍ଶନ କହିଛନ୍ତି ଯେ ସେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ୫ରୁ ୬ଥର ସାକ୍ଷାତ କରିଛନ୍ତି ଓ ପ୍ରତ୍ୟେକ ଥର ସେ ସୁଦର୍ଶନଙ୍କ ବାଲୁକା କଳାର ପ୍ରଶଂସା କରିବା ସହ ଏ କ୍ଷେତ୍ରରେ ଆହୁରି ଉନ୍ନତି କରିବା ପାଇଁ କହୁଥିଲେ। ତାଙ୍କ ଆଶୀର୍ବାଦ ସବୁଦିନ ପାଇଁ ରହିଥିବ ବୋଲି ସୁଦର୍ଶନ କହିଛନ୍ତି।