ଆଉ ଦୁଇ ଦିନ କଷ୍ଟ ଦେବ ବନ୍ୟା, ପୂୂର୍ଣ୍ଣିମା ପରେ ସ୍ଥିତିରେ ସୁଧାର ଆସିବ

ଭୁବନେଶ୍ୱର, ୨/୯ : ରାଜ୍ୟରେ ବର୍ଷାର ପରିମାଣ କମିଛି। କିନ୍ତୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଦୁର୍ଦ୍ଦଶା କମିବା ବଦଳରେ ବଢିବାରେ ଲାଗିଛି। ଆଜି ଇନ୍ଦୁ ପୂର୍ଣ୍ଣିମା। ସମୁଦ୍ର ଭୀଷଣ ଜୁଆରିଆ ରହିଛି। ସମୁଦ୍ର ଜୁଆର ପାଣିକୁ ଠେଲିକି ରଖିଛି। ସମୁଦ୍ର ଭିତରକୁ ପାଣି ଯିବାକୁ ୧୦ ପ୍ରତିଶତ ବି ସମୟ ମିଳୁନି। ଏଣୁ ପାଣି ଟାଣୁନି। ଖାସ୍ ଏଥିପାଇଁ ପରିସ୍ଥିତି ସଙ୍ଗିନ୍ ହେବା ଲାଗିଛି। ଆଜି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଗଣମାଧ୍ୟମକୁ କହିଛନ୍ତି, ଜଳ ନିଷ୍କାସନ ପାଇଁ ଆଉ ଦୁଇ ଦିନ ଲାଗିବ।

ସେ ଆହୁରି କହିଛନ୍ତି, ବନ୍ୟା ସମୟରେ ସୃଷ୍ଟି ହୋଇଥିବା ଘଳିଆରୁ ୭୨୯ ଘଳିଆ ମରାମତି ହୋଇଛି। ଘାଇ ମରାମତି କାମ ଆରମ୍ଭ ହୋଇଗଲାଣି। ସେପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଏହି ସ୍ଥିତି ଲାଗି ରହିବ। ତେବେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ‌ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ବି ହୋଇପାରେ।

୩ ତାରିଖଠାରୁ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିପାରେ। ପୂୂର୍ଣ୍ଣିମା ପରେ ବନ୍ୟା ସ୍ଥିତିରେ ସୁଧାର ଆସିଯିବ ବୋଲି ଶ୍ରୀ ରଥ କହିଛନ୍ତି।