୪ ବର୍ଷରେ ୪୦ କୋଟି ମୋବାଇଲ ଗ୍ରାହକ : ଜିଓ

ଭୁବନେଶ୍ୱର: ଠିକ ୪ ବର୍ଷ ପୂର୍ବେ ରିଲାଏନ୍ସ ଜିଓ ଭାରତରେ ମୋବାଇଲ ସେବା ଆରମ୍ଭ କରିଥିଲା । ସେତେବେଳେ ବହୁତ କମ ଲୋକ ଭାବି ପାରିଥିଲେ ଜିଓ ଚାରି ବର୍ଷ ଭିତରେ ଭାରତରେ ଡାଟା ବ୍ୟବହାର କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣି ଭାରତକୁ ମୋବାଇଲ ଡାଟା ବ୍ୟବହାରରେ ସେତେବେଳର ୧୫୫ ସ୍ଥାନରୁ ଆଣି ଏକ ନମ୍ବର ସ୍ଥାନରେ ପହଞ୍ଚାଇବ । ଟ୍ରାଇ ତଥ୍ୟ ଅନୂଯାୟୀ ବତ୍ତମାନ ଭାରତରେ ବ୍ୟବହାର ହେଉଥିବା ମୋଟ ୪ଜି ଡାଟା ବ୍ୟବହାର ଆମେରିକା ଓ ଚୀନ୍ ଲୋକେ ମିଳିତ ଭାବେ ବ୍ୟବହାର କରୁଥିବା ୪ଜି ଡାଟା ପରିମାଣଠାରୁ ଅଧିକ ରହିଛି । ଏରିକ୍‌ସନ୍ ମୋବିଲିଟିର ଏକ ରିପୋର୍ଟ ଅନୂଯାୟୀ ୨୦୧୫ ରେ ଭାରତର ମୋବାଇଲ୍ ଡାଟା ଟ୍ରାଫ୍‌କ୍ ମାସକୁ ୩୦ ଜିବି ରହିଥିବା ବେଳେ ୨୦୨୦ ରେ ଏହା ୧୯୦୦ ପ୍ରତିଶତ ବୃଦ୍ଧିପାଇ ମାସକୁ ୬୦୦ କୋଟି ଜିବିରେ ପହଞ୍ଚିଛି ।

ଏହି ଚାରି ବର୍ଷ ମଧ୍ୟରେ ଜିଓ ଭାରତରେ ୪୦ କୋଟି ମୋବାଇଲ ଗ୍ରାହକ ହାସଲ କରିବା ସହ ବର୍ତ୍ତମାନ ଏକ ନମ୍ବର ସ୍ଥାନରେ ପହଞ୍ଚିଛି । ସେହିଭଳି ଏକ ଜିବି ଡାଟାର ମୂଲ୍ୟ ୨୦୧୬ରେ ୧୮୫ରୁ ୨୦୦ ଟଙ୍କା ମଧ୍ୟରେ ରହିଥିବା ବେଳେ ଟ୍ରାଇର ଟେଲିକମ୍ କ୍ଷେତ୍ରର ପ୍ରଦର୍ଶନ ରିପୋର୍ଟ ଅନୁଯାୟୀ ଏହା ପ୍ରାୟ ଜିବି ପ୍ରତି ୧୨ ଟଙ୍କାରେ ପହଞ୍ଚିଛି । ସେହିଭଳି ଭଏସ୍ କଲ୍‌ରେ ମଧ୍ୟ ଦୁଇଗୁଣ ବୃଦ୍ଧି ଘଟି ଏହା ପ୍ରିତ ଉପଭୋକ୍ତା ପିଛା ମାସକୁ ୩୬୬ ମିନିଟ୍‌ରୁ ବୃଦ୍ଧି ପାଇ ୭୧୨ ମିନିଟ୍‌ରେ ପହଞ୍ଚିଥିବା ଟ୍ରାଇ ରିପୋର୍ଟରୁ ଜଣାପଡିଛି ।

ଦେଶର ଅନ୍ୟ ସ୍ଥାନଭଳି ଓଡିଶାରେ ମଧ୍ୟ ୨୦୧୬ ସେପ୍ଟେମ୍ବର ୫ ରେ ଜିଓ ବ୍ୟବସାୟିକ ସେବା ଆରମ୍ଭ କରିଥିଲା । ବିଗତ ଚାରିବର୍ଷ ମଧ୍ୟରେ ଜିଓ ଅନ୍ୟ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ପଛରେ ପକାଇ ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱରେ ଓଡିଶାରେ ଏକ ନମ୍ବର ସ୍ଥାନ ହାସଲ କରିଛି । ନିକଟରେ ଟ୍ରାଇ ପକ୍ଷରୁ ପ୍ରକାଶିତ ଆର୍ଥିକ ରିପୋର୍ଟ ଅନୂଯାୟୀ ଓଡିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ୫୦% ରୁ ଉର୍ଦ୍ଧ୍ୱ ହାସଲ କରିଛି ଜିଓ । ସେହିଭଳି ରାଜ୍ୟର ମୋଟ ୩.୩ କୋଟି ମୋବାଇଲ୍ ଉପଭୋକ୍ତାଙ୍କ ମଧ୍ୟରୁ  ୧.୨୯ କୋଟି ମୋବାଇଲ୍ ଗ୍ରାହକଙ୍କ ସହ ଜିଓ ଏକ ନମ୍ବର ସ୍ଥାନ ହାସଲ କରିଛି ।