ଚୀନ ସେନାକୁ ଶିକ୍ଷା ଦେବା ପାଇଁ ଅଣ୍ଟା ଭିଡ଼ିଲେ ଲାଦଖବାସୀ; ଭାରତୀୟ ଯବାନଙ୍କୁ ଯୋଗାଉଛନ୍ତି ପାଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ

ଜମ୍ମୁ : ଚାଇନାକୁ ଏକ ଶିକ୍ଷା ଦେବା ପାଇଁ ଲଦାଖର ଲୋକମାନେ ମଧ୍ୟ ସେନା ସହିତ କାନ୍ଧ ମିଳାଇଛନ୍ତି। ଏ ମଧ୍ୟରେ ଚୁସ୍‌ହୁଲ୍ ଓ ମେରାକ୍‌ ଗାଁର ସ୍ଥାନୀୟ ଅଧିବାସୀମାନେ ଭାରତୀୟ ସେନାକୁ ପାଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବାର ଚିତ୍ର ସାମାଜିକ ଗଣମାଧ୍ୟରେ ବ୍ୟାପକ ପ୍ରସାରିତ ହେଉଛି।

ସୂଚନାଯୋଗ୍ୟ ଯେ, ଚୁସ୍‌ହୁଲ୍‌ ଓ ମେରାକ୍ ଗାଁର ମହିଳାଙ୍କ ସମେତ ପ୍ରାୟ ୧୦୦ଜଣ ସ୍ଥାନୀୟ ଅଧିବାସୀ ବ୍ଲାକ୍‌ ଟପ୍‌ ଉପରକୁ ପାଣି ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ନେଇ ଯାଉଛନ୍ତି। ପାଞ୍ଚ ଦିନ ତଳୁ ସେମାନେ ଏହି କାମ ଆରମ୍ଭ କରିଛନ୍ତି।

ପୂର୍ବରୁ ସେନା ସ୍ଥାନୀୟ ଅଧିବାସୀଙ୍କୁ କୁଲି ଭାବେ ନେଇ ପାରିଶ୍ରମିକ ଦେଉଥିଲେ। କିନ୍ତୁ, ଚୀନ୍-ଭାରତ ବିବାଦ ପରେ ସ୍ଥାନୀୟ ଅଧିବାସୀମାନେ ସ୍ବେଚ୍ଛାସେବକ ସାଜିଲେ। ସେମାନେ ସେନା ଟ୍ରକ୍‌ରେ ନିକଟବର୍ତ୍ତୀ ପଏଣ୍ଟ୍‌ଗୁଡ଼ିକୁ ଯାଇ ସେଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ବହନ କରି ପର୍ବତ ଆରୋହଣ କରୁଛନ୍ତି। ଚୁସ୍‌ହୁଲ୍‌ ଗାଁରେ ପ୍ରାୟ ୧୭୦ ପରିବାର ରହନ୍ତି।