ପୁରୀ, ୭/୯ : କରୋନା ବିପତ୍ତି ସମୟରେ ପୁରୀ ବାହାର ଲୋକଙ୍କୁ ମିଳିବନି ବରାଦୀ ମହାପ୍ରସାଦ। କୌଣସି ସୁଆର ସେବକ ବାହାର ଲୋକଙ୍କଠାରୁ ମହାପ୍ରସାଦ ବରାଦ ରଖିବେ ନାହିଁ। ପିତୃପକ୍ଷ ଚାଲିଥିବାରୁ କେବଳ ଶ୍ରୀମନ୍ଦିର ସେବକ ଏବଂ ପୁରୀ ସହରବାସୀଙ୍କୁ ବରାଦୀ ମହାପ୍ରସାଦ ଯୋଗାଇ ଦିଆଯିବ। ସୁଆର ମହାସୁଆର ନିଯୋଗ ପକ୍ଷରୁ ରବିବାର ଏକ ବୈଠକରେ ଏସମ୍ପର୍କରେ ସ୍ଥିର କରାଯାଇଛି।
ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାର, ଦକ୍ଷିଣଦ୍ୱାର ଏବଂ ସିଂହଦ୍ୱାର ସମ୍ମୁଖରେ ପ୍ରତ୍ୟେକ ଦିନ ବହୁ ଲୋକଙ୍କ ଭିଡ ହେଉଥିବାରୁ ଏଭଳି କଟକଣା ଜାରି କରାଯାଇଥିବା ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି। ସୋମବାରଠାରୁ ସୁଆର ସେବକ, ବୋଝିଆ ଏବଂ ତୁଣିଆଙ୍କ ସଂଖ୍ୟା ପ୍ରାୟ ୭୦% ହ୍ରାସ କରାଯିବ ବୋଲି ସେ କହିଛନ୍ତି। କରୋନା ସ୍ଥିତିରେ ସୁଧାର ଆସିବା ପରେ ପୁରୀ ବାହାର ଲୋକେ ପୂର୍ବପରି ବରାଦୀ ମହାପ୍ରସାଦ ପାଇପାରିବେ। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ କୌଣସି ମତାମତ ଦିଆଯାଇ ନାହିଁ। ଏହାପୂର୍ବରୁ ସ୍ୱର୍ଗଦ୍ୱାର ଶ୍ମଶାନରେ ଜିଲା ବାହାର ଲୋକଙ୍କ ଶବସତ୍କାର ବନ୍ଦ କରାଯାଇଛି।