ନୂଆଦିଲ୍ଲୀ,୭ /୯: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ ଲକ୍ଷ ଅତିକ୍ରମ କରିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହି ସମୟରେ କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁରଜେୱାଲା ମୋଦୀ ସରକାରଙ୍କ ଉପରେ କରୋନାକୁ ନେଇ କଟାକ୍ଷ କରିଛନ୍ତି। ପୁରା ବିଶ୍ବରେ ଭାରତ ଏବେ କରୋନା ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ରହିଛି । ମାତ୍ର ପ୍ରଧାନମନ୍ତ୍ରୀ କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଭାରତ ଏବେ ବିଶ୍ବର ‘କରୋନା କ୍ୟାପିଟାଲ’ରେ ପରିଣତ ହୋଇଛି ବୋଲି ଅଭିଯୋଗ କରିଛନ୍ତି ।
ସୁରଜେୱାଲ କହିଛନ୍ତି ଡ଼ିସେମ୍ବର ମାସ ସୁଦ୍ଧା ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୧.୪ କୋଟିରେ ପହଞ୍ଚିବାର ଆଶଙ୍କା ରହିଛି। ମୃତ୍ୟୁ ସଂଖ୍ୟା ୧,୭୫୦୦୦ ଟପିପାରେ ବୋଲି ମଧ୍ୟ କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି । ମାତ୍ର ଏ ସମୟରେ କେନ୍ଦ୍ର ସରକାର କ’ଣ କରୁଛନ୍ତି କିଛି ଜଣାପଡ଼ୁନାହିଁ । ଲକଡ଼ାଉନର ତୋଗଲକୀ ଆଦେଶ ଲୋକଙ୍କ ଜୀବନକୁ ସଙ୍କଟରେ ପକାଇଛି । ପ୍ରଧାନମନ୍ତ୍ରୀ ଦେଶରେ କରୋନା ଲଢ଼େଇ ନିମନ୍ତେ ୨୧ ଦିନ ମାଗିଥିଲେ, ଇତିମଧ୍ୟରେ ୧୬୬ ଦିନ ବିତିଗଲାଣି। ଦେଶ ଏବେ କରୋନାର ମହାଭାରତ ଦେଖୁଛି । କରୋନା ଯୁଦ୍ଧ ତ ଜାରି ରହିଛି, ମାତ୍ର ସେନାପତି ନିକମ୍ମା ବୋଲି ପ୍ରମାଣିତ ହୋଇଛି । ଯେତେବେଳେ ରୋମ ଜଳୁଥିଲା, ସେତେବେଳେ ରାଜା ନିରୋ ବଂଶୀ ବଜାଉଥିଲେ । ଏବେ ଦେଶ କରୋନାରେ ଲଢ଼ୁଛି ଆଉ ମୋଦିଜୀ ମୟୂରଙ୍କୁ ଦାନା ଖୁଆଉଛନ୍ତି । କରୋନା ଲଢ଼େଇରେ ମୋଦୀ ସରକାର ପୁରା ନିକମ୍ମା ସାବ୍ୟସ୍ତ ହୋଇଛନ୍ତି । ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲାରେ ବିଶ୍ବରେପ ପ୍ରଥମ, ମୃତ୍ୟୁ ହାରରେ ପ୍ରଥମ, ସଂକ୍ରମଣ ଦ୍ବିଗୁଣିତ ହେବା ଅନୁପାତରେ ପ୍ରଥମ, ପୁରା ସଂକ୍ରମିତ ମାମଲାରେ ଦ୍ବିତୀୟ, ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରେ ଦ୍ବିତୀ, ମୋଟ ମୃତ୍ୟୁ ସଂଖ୍ୟାରେ ତୃତୀୟ ସ୍ଥାନରେ ରହିଛି ବୋଲି ସୁରଜେୱାଲା କହିଛନ୍ତି ।