କୋକାକୋଲା ଇଣ୍ଡିଆର ନୂଆ ଭାରତ ମୁଖ୍ୟ ଓଡ଼ିଆ ପୁଅ ସଙ୍କେତ ରାୟ

ନୂଆଦିଲ୍ଲୀ : ଓଡ଼ିଆ ପୁଅ ସଙ୍କେତ ରାୟ ହୋଇଛନ୍ତି କୋକାକୋଲା ଇଣ୍ଡିଆର ନୂଆ ଭାରତ ମୁଖ୍ୟ । ଭୁବନେଶ୍ବର ବରମୁଣ୍ଡା ହାଉସିଂ ​ବୋର୍ଡ଼ କଲୋନୀ ନିବାସୀ ସଙ୍କେତ ବିଶ୍ବର ଏହି ଏକ ନମ୍ବର ମୃଦୁ ପାନୀୟ କମ୍ପାନୀର ଭାରତ ପାଇଁ ଶୀର୍ଷ ପଦବୀ ଗ୍ରହଣ କରି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି । ବିଶ୍ବ ବ୍ୟାପୀ କମ୍ପାନୀ ପକ୍ଷରୁ କରାଯାଉଥିବା ଅଦଳବଦଳ ପ୍ରକ୍ରିୟାରେ ସଙ୍କେତଙ୍କୁ ଏହି ପଦବୀରେ ଅବସ୍ଥାପିତ କରିଛି କୋକାକୋଲା । ବର୍ତ୍ତମାନ ସେ କୋକାକୋଲା ପାଇଁ ମେନ୍‌ ଲ୍ୟାଣ୍ଡ୍ ଚାଇନାର ଚିଫ୍ ଅପରେଟିଂ ଅଫିସର (ସିଓଓ) ରହିଛନ୍ତି । ଯାଜପୁରର ମୂଳବାସିନ୍ଦା ୪୬ ବର୍ଷୀୟ ସଙ୍କେତଙ୍କ ପିତା ତଥା ବରିଷ୍ଠ ବୈଜ୍ଞାନିକ ଡ. ଏସ୍‌.କେ. ରାୟ ହେଉଛନ୍ତି ଓୟୁଏଟିର ପୂର୍ବତନ ଡିନ୍‌ । ସେସୁର ପୂର୍ବତନ ଏ ସିଇଓ ଏବଂ ଭୁବନେଶ୍ବର ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଦେବରାଜ ବିଶ୍ବାଳଙ୍କ ଜାମାତା । ସେ କୃଷ୍ଣକୁମାରଙ୍କ ସ୍ଥାନରେ ଏହି ପଦରେ ନିଯୁକ୍ତି ପାଇଛନ୍ତି । ଭୁବନେଶ୍ବରସ୍ଥିତ ଡିଏମ୍‌ ସ୍କୁଲରୁ ପାଠ ପଢ଼ା ଆରମ୍ଭ କରି ବିଜେବି କଲେଜରୁ ଯୁକ୍ତ ଦୁଇ ପରେ ସଙ୍କେତ ଭୋପାଳ ଏନ୍‌ଆଇଟିରୁ ମେକାନିକାଲ ଇଞ୍ଜିନିୟରିଂ ଶେଷ କରି ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଭୁବନେଶ୍ବର(ଏକ୍ସଆଇଏମ୍‌ବି)ରୁ ଏମବିଏ କରିଥିଲେ ।