ନୂଆଦିଲ୍ଲୀ, ୮/୯ : ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ବୃଦ୍ଧିପାଇବାରେ ଲାଗିଛି। ସୋମବାର ଘଟଣା ପରେ ଭାରତ ଓ ଚୀନ ସେନା ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ପାଙ୍ଗୋଙ୍ଗ ସନ୍ନିକଟ ରେଜାଙ୍ଗ ଲାରେ ଉଭୟ ପକ୍ଷରୁ ପ୍ରାୟ ୪୦-୫୦ ସୈନିକ ସାମ୍ନାସାମ୍ନି ହୋଇଛନ୍ତି। ଫଳରେ ଏଲଏସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ଏହି ଅଞ୍ଚଳ ଭାରତୀୟ ସେନାର ଯବାନଙ୍କ ଜବ୍ଜାରେ ରହିଛି, ମାତ୍ର ଚୀନ ସେନାର ୪୦-୫୦ ସୈନିକ ଏଠାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ଏହି ଅଞ୍ଚଳରୁ ଭାରତୀୟ ଯବାନଙ୍କୁ ହଟାଇବା ପାଇଁ ଚୀନ ପ୍ରୟାସ କରୁଛି, ଯେମିତି ରେଜାଙ୍ଗ ଲାର ଶିଖରକୁ କବ୍ଜା କରିବ। କିନ୍ତୁ ଚୀନ ସେନା ଏଥିରେ ସଫଳ ହୋଇ ନାହିଁ।
ଉଲ୍ଲେଖଯୋଗ୍ୟ, ସୋମବାର ସନ୍ଧ୍ୟାରେ ଚୀନ ପକ୍ଷରୁ ଲଦାଖ ସୀମାରେ ଅନୁପ୍ରବେଶ ଉଦ୍ୟମ ହୋଇଥିଲା। ଭାରତୀୟ ଯବାନ ସେମାନଙ୍କୁ ରୋକିବାରୁ ପିଏଲଏ ଭାରତୀୟ ଯବାନଙ୍କ ଉପରୁ ଗୁଳିଚାଳନା କରିଥିଲେ। ଏହି ଫାୟରିଂରେ ଭାରତୀୟ ସେନାକୁ ଭୟଭୀତ କରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ଭାରତୀୟ ସେନା ସଂଯମ ରକ୍ଷା କରିଥିଲେ ଏବଂ ଚୀନ ସୈନିକକୁ ଉକ୍ତ ଅଞ୍ଚଳରୁ ଘଉଡାଇଥିଲେ।
ଅଗଷ୍ଟ ୩୦ ଘଟଣା ପରଠୁ ଚୀନ ଅନେକ ଥର ଅନୁପ୍ରବେଶ ଉଦ୍ୟମ କରି ସାରିଛି, ମାତ୍ର ପ୍ରତ୍ୟେକ ଥର ବିଫଳ ହୋଇଛି। ପ୍ରତିଥର ବିଫଳ ଉଦ୍ୟମ ପରେ ଚୀନ ପକ୍ଷରୁ ଭାରତୀୟ ସେନା ଉପରେ ଅନୁପ୍ରବେଶର ଆରୋପ ଲଗାଉଛି। ସୋମବାର ଘଟଣା ପରେ ମଧ୍ୟ ଚୀନ ବୈଦେଶିକ ମନ୍ତ୍ରଣାଳୟ, ଚୀନ ସେନା ଓ ଚୀନ ମିଡିଆ ଭାରତ ଉପରେ ଅନୁପ୍ରବେଶ ଉଦ୍ୟମ ଅଭିଯୋଗ କରୁଛନ୍ତି। ମାତ୍ର ଭାରତୀୟ ସେନା ନିଜର ବିବୃତ୍ତିରେ ଚୀନ ମିଥ୍ୟାର ପର୍ଦ୍ଦାଫାଶ କରିଛି।
ଉଲ୍ଲେଖନୀୟ ଭାରତୀୟ ସେନା ଯେବେଠୁ କାଲା ଟପ୍, ହେଲମେଟ୍ ଟପ୍ ଓ ପାଙ୍ଗଙ୍ଗ ୪ ଅଞ୍ଚଳର କିଛି ଭାଗ କବ୍ଜା କରିଛି ତା ପରଠୁ ଚୀନ ବିଚଳିତ ହୋଇ ପଡିଛି। କାରଣ ଏହି ସବୁ ଇଲାକା ଯୁଦ୍ଧ ଏବଂ ସବୁ ପ୍ରକାରର ସ୍ଥିତି ପାଇଁ ରଣନୈତିକ ଭାବେ ବେଶ୍ ମହତ୍ଵପୂର୍ଣ୍ଣ। ତେଣୁ ଚୀନ ସେନା ଏହି ସବୁ ଅଞ୍ଚଳ ଭାରତ ହାତରୁ ଛଡାଇ ଆଣିବାକୁ ଅହରହ ଉଦ୍ୟମ ଚଳାଇଛି। କିନ୍ତୁ ଡ୍ରାଗନକୁ ସବୁ ଥର ବିଫଳତାର ସ୍ଵାଦ ଚାଖିବାକୁ ପଡୁଛି।