ଜେଲ୍ ଗଲେ ରିୟା ଚକ୍ରବର୍ତ୍ତୀ, ଆଜି ପୁଣି କରିବେ ଜାମିନ ଆବେଦନ

ନୂଆଦିଲ୍ଲୀ: ବୁଧବାର ସକାଳେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇର ବାଇକୁଲା ଜେଲ୍‌କୁ ନିଆଯାଇଛି। ସେ ସେଠାରେ ୧୪ ଦିନ ରହିବେ। ଏବେ ମଧ୍ୟ ଔପଚାରିକ ପ୍ରକ୍ରିୟା ଚାଲୁ ରହିଛି। ଏହା ପରେ ରିୟାଙ୍କୁ ଅଦାଲତରେ ହାଜର କରାଯିବ।

ଗତ ରାତିରେ ରିୟା ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ କାର୍ଯ୍ୟାଳୟରେ ରହିଥିଲେ। ବାଇକୁଲା ଜେଲ୍‌ ହେଉଛି ମୁମ୍ବାଇରେ ମହିଳା ଅନ୍ତେଃବାସୀଙ୍କ ନିମନ୍ତେ ‌ଏକମାତ୍ର ଜେଲ୍‌। ସମ୍ପ୍ରତି ବାଇକୁଲା ଜେଲ୍‌ରେ ଥିବା ବିଶିଷ୍ଟ ମହିଳାଙ୍କ ମଧ୍ୟରେ ଅଛନ୍ତି ଶୀନା ବୋରା ହତ୍ୟାକାଣ୍ଡର ଅଭିଯୁକ୍ତା ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ କୋରେଗାଓଁ-ଭୀମା ମାମଲାରେ ଗିରଫ ହୋଇଥିବା ସାମାଜିକକର୍ମୀ ସୁଦ୍ଧା ଭରଦ୍ବାଜ।

ରିୟାଙ୍କ ଓକିଲ ଆଜି ପୁନର୍ବାର ସେସନ କୋର୍ଟରେ ଜାମିନ ଆବେଦନ କରିବେ। ଯଦି କୋର୍ଟ ଜାମିନ ପ୍ରଦାନ ନ କରନ୍ତି, ତେବେ ରିୟାଙ୍କୁ ୧୪ ଦିନ ଜେଲରେ ରହିବାକୁ ପଡିବ। ଗତକାଲି କୋର୍ଟ ରିୟାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।