ପରୀକ୍ଷଣରେ ସାମିଲ ସ୍ଵେଛାସେବୀ ଅସୁସ୍ଥ ହେବାରୁ କୋଭିଡ୍-୧୯ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ସ୍ଥଗିତ ରଖିଲା ଆଷ୍ଟ୍ରାଜେନିକା
ଓ୍ବାଶିଂଟନ, ୯/୯ : କରୋନା ଟିକାକୁ ଲାଗିଛି ବଡ଼ ଝଟକା। ଜଣେ ସ୍ଵେଛାସେବୀଙ୍କ ଠାରେ ଅଜଣା ଅସୁସ୍ଥତାର ଲକ୍ଷଣ ପ୍ରକାଶ ପାଇବାରୁ ଅନ୍ୟତମ ଅଗ୍ରଣୀ କୋଭିଡ୍-୧୯ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ସ୍ଥଗିତ ରଖାଯାଇଥିବା କଥା ଆଜି ଆଷ୍ଟ୍ରାଜେନିକା କହିଛି।
ପରୀକ୍ଷା ସମୟରେ ଜଣେ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ପରୀକ୍ଷାରେ କଟକଣା ଲଗାଇବା ନିଷ୍ପତି ନିଆଯାଇଛି। ପରୀକ୍ଷାରେ ସାମିଲ ବ୍ୟକ୍ତିଙ୍କ ରୋଗ ବାବଦରେ ବେଶି କିଛି ତଥ୍ୟ ମିଳି ନ ଥିଲା। ଏହା ଉପରେ ଅଧିକ ତଦନ୍ତ କରିବା ପରେ ହିଁ ଟ୍ରାଏଲକୁ ଆଗକୁ ବଢ଼ାଯିବ। ଆଷ୍ଟ୍ରାଜେନିକା କରୋନା ଭାକସିନ ଟ୍ରାଏଲର ସୁରକ୍ଷା ଯୋଗୁ ପରୀକ୍ଷା ଉପରେ ରୋକ ଲଗାଇଛି। ତେବେ ଏହି ଟିକା କରୋନା ବିରୋଧରେ ପ୍ରଭାବି ହେବ ବୋଲି କୁହାଯାଉଥିଲା। ମାନକ ସମୀକ୍ଷା ପ୍ରକ୍ରିୟା ସୁରକ୍ଷା ଡାଟାକୁ ସମୀକ୍ଷା କରିବାକୁ ଅନୁମତି ଦେବାରୁ ଟିକା ଉପରେ ରୋକ ଲାଗିଛି। ଏହି ଅଧ୍ୟୟନ ବିଭିନ୍ନ ସ୍ଥଳରେ ଆଷ୍ଟ୍ରାଜେନିକା ଓ ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡର ଗବେଷକଙ୍କ ଦ୍ବାରା ବିକଶିତ କରାଯାଉଥିବା କୋଭିଡ୍-୧୯ ଭାକସିନ୍।
ସ୍ଵେଛାସେବୀଙ୍କ ଶରୀରରେ ଦେଖା ଦେଇଥିବା ଅସୁସ୍ଥତା ବିଷୟରେ ସବିଶେଷ ବିବରଣୀ ମିଳିନାହିଁ। କିନ୍ତୁ, ‘ଷ୍ଟାଟ୍ ନିଉଜ୍’ ରିପୋର୍ଟ ଅନୁସାରେ ସମ୍ପୃକ୍ତ ସ୍ବେଚ୍ଛାସେବୀଜଣକ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି। ‘ଷ୍ଟାଟ୍ ନିଉଜ୍’ ଆହୁରି ମଧ୍ୟ ରିପୋର୍ଟ କରିଛି ଯେ, ଆଷ୍ଟ୍ରାଜେନିକା ଟିକା ପରୀକ୍ଷଣ ବନ୍ଦ ରଖିବା ପରେ ଅନ୍ୟ ଟିକା ନିର୍ମାତାମାନେ ମଧ୍ୟ ଏ ଭଳି ଅସୁସ୍ଥତା ଆଶଙ୍କା କରି ସେମାନଙ୍କ ଟିକାର ନୈଦାନିକ ପରୀକ୍ଷା ସ୍ଥଗିତ ରଖିଛନ୍ତି।
ଏକ ବିବୃତିରେ ଆଷ୍ଟ୍ରାଜେନିକା କହିଛି, ବ୍ୟାପକ ପରୀକ୍ଷଣରେ, କଦବା କ୍ଵଚିତ ଅସୁସ୍ଥତା ପ୍ରକାଶ ପାଇଥାଏ। କିନ୍ତୁ, ଏହାକୁ ତନ୍ନତନ୍ନ କରି ଯାଞ୍ଚ କରିବା ନିମନ୍ତେ ପୃଥକ୍ ଭାବେ ସମୀକ୍ଷା କରାଯିବା ଆବଶ୍ୟକ।