ଅନୁଗୁଳରେ ଡକାୟତି, ସ୍ପ୍ରେ ମାରି ଲୁଟି ନେଲେ ଟଙ୍କା ଓ ସୁନା ଅଳଙ୍କାର

ଅନୁଗୁଳ, ୧୦/୯ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁ କେନ୍ଦୁଠିପ ସାହିରେ ଗତକାଲି ବିଳମ୍ବିତ ରାତିରେ ଡକାୟତି ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଗ୍ରୀଲ ତାଡି ସ୍ପ୍ରେ ମାରି ଜନୈକ ନାଲକୋ କର୍ମଚାରୀଙ୍କ ଘରେ ପଶିବା ସହ ଲକ୍ଷାଧିକ ଟଙ୍କା ଓ ଗହଣା ଲୁଟ୍ କରିନେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଡକାୟତି ହୋଇଥିବା ଘର ମାଲିକ ବିକ୍ରମ ସାହୁ ଘରେ ନଥିବାର ସୁଯୋଗ ନେଇ ଡକାୟତି କରିଥିବା ପୁଲିସ ଅନୁମାନ କରୁଛି । ଡକାୟତମାନେ ଘରର ପଛ ପାଖ ଝରକାକୁ ସାବଳରେ ତାଡି ଘର ଭିତରକୁ ପ୍ରବେଶ କରି ଦୁଇଟି ଆଲମାରୀରୁ ଟଙ୍କା ଓ ସୁନା ଗହଣା ଇତ୍ୟାଦିକୁ ଗାମୁଛାରେ ଗୁଡ଼ାଇ ନେଉଥିବା ବେଳେ ଖଡ଼ ଖାଡ଼ ଶବ୍ଦ ଆସିବାରୁ ଘର ଭିତରେ ଶୋଇଥିବା ଦୁଇ ଭଉଣୀ ପଦ୍ମାବତୀ ସାହୁ ଓ ଇନ୍ଦୁମତୀ ସାହୁ ଉଠି ପଡ଼ିଥିଲେ । ପଦ୍ମାବତୀ ସାହସ ଜୁଟାଇ ପନିକି ଧରି ଡ଼କାୟତଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ । ଡକାୟତି ଦଳ ପାଖରେ ରଖିଥିବା ସ୍ପ୍ରେ ମୁହଁକୁ ମାରି ଝରକା ବାଟେ ଚାଲି ଯାଇଥିଲେ ବୋଲି ଜଣାଯାଇଛି । ଏହି ଘଟଣା ରାତି ସାଢେ ୨ଟାରୁ ୩ଟା ଭିତରେ ଘଟିଥିବା କୁହାଯାଉଛି । ତେବେ ଡକାୟତମାନେ ଘରେ ଥିବା ଇମିଟେସନ ଗହଣାକୁ ଛାଡି ଦେଇଥିବା ଦେଖିବାକୁ ମିଳିଛି । ପରେ ପଡୋଶୀଙ୍କୁ ପଦ୍ମାବତୀ ଡାକିଥିଲେ ମଧ୍ୟ କବାଟ ବନ୍ଦ ଥିବାରୁ ସେ ଆସିପାରି ନଥିଲେ । ଏ ନେଇ ପ୍ରଥମେ ପଦ୍ମାବତୀ ନିଜ ସ୍ୱାମୀ ବିକ୍ରମ ସାହୁ ଓ ପୁଲିସଙ୍କୁ ଅବଗତ କରାଇ ଥିଲେ । ମଧ୍ୟ ରାତ୍ରିରେ ନାଲକୋ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଜଣାଯାଇଛି । ତାଙ୍କ ଘରୁ ୧୦ ଲକ୍ଷ ଟଙ୍କା ଓ ୮୦ଭରୀ ସୁନା ଚୋର କରିଥିବା ନେଇ ପଦ୍ମାବତୀ ସାହୁ (୪୫) ଆଜି ନାଲକୋ ଥାନାରେ ଅଭିଯୋଗ କରିଛନ୍ତି ।