ଭୁବନେଶ୍ୱର,୧୦/୯- (ପ୍ରଦୀପ୍ତ ଦାସ) : ବରଗଡ଼ ଆସିଷ୍ଟାଣ୍ଟ ଫାୟାର ଅଫିସର ପ୍ରଶାନ୍ତ କୁମାର ମହାପାତ୍ର ଫାୟାର ସାର୍ଟିଫିକେଟ ଦେବାପାଇଁ ଜଣେ ପେଟ୍ରୋଲ ପମ୍ପ ମାଲିକଙ୍କ ଠାରୁ ବାର ହଜାରଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଗୁରୁବାର ଧରାପଡ଼ିଛନ୍ତି । ସମ୍ପୃକ୍ତ ଅଂଚଳରେ ପେଟ୍ରୋଲ ପମ୍ପ କରିଥିବା ବ୍ୟବସାୟୀ ହୃଷିକେଶ ପ୍ରଧାନଙ୍କ ଠାରୁ ସେ ଫାୟାର ସେଫଟି ସାର୍ଟିଫିକେଟ ଦେବାକୁ ଉକ୍ତ ଲାଞ୍ଚଟଙ୍କା ଗ୍ରହଣ କଲାବେଳେ ଧରାପଡ଼ି ଯାଇଥିଲେ । ତେବେ ଏ ସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଅଫିସରମାନେ ପୂର୍ବରୁ ଅଭିଯୋଗ ପାଇ ସେଠାରେ ଛକି ରହିଥିଲେ । ଗୁରୁବାର ଶ୍ରୀ ମହାପାତ୍ର ତାଙ୍କ ସରକାରୀ କାର୍ଯ୍ୟାଳୟରେ ପେଟ୍ରୋଲ ପମ୍ପ ମାଲିକ ପ୍ରଧାନଙ୍କ ଠାରୁ ଉକ୍ତଲାଞ୍ଚ ନେଉଥିଲେ । ସେଠାରେ ତାଙ୍କୁ ତୁରନ୍ତ ଗିରଫ କରାଯାଇଥିଲା ଏବଂ ତାଙ୍କ ସରକାରୀ ବାସଭବନରେ ମଧ୍ୟ ସଙ୍ଗେସଙ୍ଗେ ଚଢ଼ାଉ କରାଯାଇଥିଲା । ଏସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନରେ ଅଭିଯୁକ୍ତ ଏଏଫଓଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ବିଭାଗ ପକ୍ଷରୁ ଅଧିକ ଅନୁସନ୍ଧାନ ଜାରିରହିଥିବା ଜଣାପଡିଛି ।