ଭୁବନେଶ୍ୱର, ୧୧/୯ : ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଥିବା ଅବିଭାବକଙ୍କ ପାଇଁ ଖୁସି ଖବର । ମିଳିଥିବା ସୂଚନା ଅନୁସାରେ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିପାରେ ସ୍କୁଲ ଫି । କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ହୋଇଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ସାମ୍ନାକୁ ଆସିଛି। ରାଜ୍ୟର ଓଡ଼ିଆ ଓ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟଗୁଡିକର ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟୁସନ୍ ଫି’ କମାଇବା ଲାଗି ସଫଳ ଆଲୋଚନା ହୋଇଥିବା ଜଣାପଡିଛି। ଘରୋଇ ବିଦ୍ୟାଳୟ ସଂଘ, ଅଭିଭାବକ ମହାସଂଘ, ସରକାର ଓ ଶିକ୍ଷକ ସଂଘ ମଧ୍ୟରେ ଏଭଳି ସହମତି ପ୍ରକାଶ ପାଇଥିବା କୁହାଯାଉଛି।
ତେବେ ମିଳିଥିବା ସୂଚନା ଅନୁଯାୟୀ ୩୦ % ପର୍ଯ୍ୟନ୍ତ ଟିଉସନ୍ ଫି ସହ ଅନ୍ୟ ଆନୁସଙ୍ଗିକ ଫି ଛାଡ଼ ହୋଇପାରେ। ଏନେଇ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି। ଆସନ୍ତା ୧୪ ତାରିଖରେ ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ହାଇକୋର୍ଟଙ୍କ ନିର୍ଦେଶ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଫି ଛାଡ଼ ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ ପାଇବ। ସୂଚନାଯୋଗ୍ୟ, ରାଜ୍ୟରେ ଥିବା ଘରୋଇ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ସ୍କୁଲ ଗୁଡିକ କରୋନା ସମୟରେ ଫି ଛାଡ଼ କରିବା ଦାବି ନେଇ ଅଭିଭାବକ ମହାସଂଘ ସହ ଅନ୍ୟ ବ୍ୟକ୍ତି ମଧ୍ୟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଶୁଣାଣି କରି ସମସ୍ତ ପିଟିସନର ଆପୋଷ ବୁଝାମଣା କରି କୋର୍ଟକୁ ଅବଗତ କରିବା ପାଇଁ କହିଥିଲେ। ଓଡ଼ିଶା ଅଭିଭାବକ ମହାସଂଘ ସଭାପତି ଶ୍ରୀ ଭଟ୍ଟ କହିଛନ୍ତି ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଅନୁଷ୍ଠିତ ବୈଠକ ସଫଳ ହୋଇଛି। ଛାତ୍ରଛାତ୍ରୀ ଓ ଅଭିଭାବକ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।