ନୂଆଦିଲ୍ଲୀ : ଲଦାଖ ସୀମାରେ ଉତ୍ତେଜନା ବଢି ଚାଲିଥିବା ବେଳେ ଭାରତ ଓ ଚୀନ ଉପରେ ନିଜର ଆଧିପତ୍ୟ ଜାରି ରଖିଛି । ପାଙ୍ଗୋଙ୍ଗ ସୋ ହ୍ରଦ କୂଳରେ ଫିଙ୍ଗର ୪ ନିକଟରେ ଭାରତୀୟ ସେନା ଅନେକ ଶିଖରକୁ କବଜା କରିଛି। ସୂତ୍ରରୁ ପ୍ରକାଶ ଯେ ଉଚ୍ଚ ଶିଖରକୁ କବଜା କରିବା ପାଇଁ ଅଗଷ୍ଟ ମାସ ଶେଷରୁ ଭାରତୀୟ ସେନା ହ୍ରଦର ଦକ୍ଷିଣରୁ କାର୍ଯ୍ୟ ଆରମ୍ଭ କରିଥିଲା। ଭାରତୀୟ ସୈନିକଙ୍କ ସଫଳତା ବିଷୟରେ ଏହି ସୂଚନା ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତୀୟ ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କର ଓ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୱାଙ୍ଗ ୟୀ ମଧ୍ୟରେ ମସ୍କୋରେ ସୀମାରେ ଚାଲିଥିବା ଉତେଜନା ନେଇ ଆଲୋଚନା ଚାଲିଛି । ସେପଟେ ଚୀନର ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ ସମସ୍ୟା ସମାଧାନର ଏହା ଶେଷ ସୁଯୋଗ ବୋଲି ଉଲ୍ଲେଖ କରିଛି । ଋଷର ମଧ୍ୟସ୍ଥତାରେ ଏହାର ସମାଧାନ ହୋଇପାରିବ ବୋଲି ଏହି ଚୀନ ଗଣମାଧ୍ୟମ ଲେଖିଛି । ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଋଷ ଗସ୍ତ ଅବସରରେ ସେଠାରେ ଚୀନର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।