ପଶୁମାନଙ୍କ ଉପରେ ‘କୋଭାକ୍ସିନ୍’ ପରୀକ୍ଷଣ ସଫଳ; ଘୋଷଣା କଲା ଭାରତ ବାୟୋଟେକ

ନୂଆଦିଲ୍ଲୀ, ୧୨/୯ : ଦେଶରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ସମୟରେ, ଭାରତ ବାୟୋଟେକ ଦ୍ୱାରା ବିକଶିତ ସ୍ୱଦେଶୀ କରୋନା ଟିକା ‘କୋଭାକ୍ସିନ୍’ର ସହ ଜଡିତ ଏକ ଖୁସି ଖବର ଆସିଛି | ଭାରତ ବାୟୋଟେକ ଘୋଷଣା କରିଛି ଯେ ପଶୁମାନଙ୍କ ଉପରେ ‘କୋଭାକ୍ସିନ୍’ ପରୀକ୍ଷା ସଫଳ ହୋଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ-ଆଇସିଏମଆର ଏବଂ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଏହି ଟିକାର ଜୀବଜନ୍ତୁଙ୍କ ଶରୀରରେ ପରୀକ୍ଷଣରୁ ଭଲ ଫଳାଫଳ ମିଳିଛି । ମାଙ୍କଡ ଜାତୀୟ ପ୍ରାଣୀ ଦେହରେ ଏହି ଟିକାର ପ୍ରମଥ ପର୍ଯ୍ୟାୟ ପରୀକ୍ଷଣ କରାଯାଇଛି । ୨୦ଟି ମାଙ୍କଡଙ୍କୁ ୪ଟି ଗ୍ରୁପରେ ଭାଗ କରି ଏହି ଟିକା ଦିଆଯାଇଥିଲା ।

ଗୋଟିଏ ଗ୍ରୁପକୁ ପ୍ଲାସେବୋ ଦିଆଯାଇଥିବାବେଳେ ଅନ୍ୟ ୩ଟି ଗ୍ରୁପକୁ ଭିନ୍ନଭିନ୍ନ ଡୋଜର ଟିକା ପ୍ରଦାନ କରାଗଲା । ଶୂନରୁ ୧୪ ଦିନ ଭିତରେ ଏହି ଟିକା ଦିଆଗଲା । ତୃତୀୟ ସପ୍ତାହ ବେଳକୁ ମାଙ୍କଡ ଗୁଡିକ ଦେହରେ ପ୍ରଚୁର ମାତ୍ରାରେ ଆଂଟିବଡି ବା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଉଥିବା ଦେଖାଯାଇଥିଲା । ଯାହା କୋଭିଡ ବିରୋଧରେ ଲଢ଼େଇ ପାଇଁ ସହାୟକ ହେବ । ଏନେଇ ଟ୍ୱିଟ କରି ସୂଚନା ଦେଇଛି ଭାରତ ବାୟୋଟେକ ।