ବିଦ୍ୟୁତ ଟ୍ରାନ୍ସଫର୍ମର ତ୍ରୁଟି : ସପ୍ତାହେ ହେବ ପାନୀୟ ଜଳଯୋଗାଣ ବନ୍ଦ , ଦୃଷ୍ଟି ଦେଉନି ପ୍ରଶାସନ

ମହାକାଳପଡ଼ା -୧୨ /୯ – (କେଶବ ଚନ୍ଦ୍ର ନାଥ) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ଖୁରୁସିଆ ପଂଚାୟତ ଦେକଣିସ୍ଥ ପାନୀୟ ଜଳ ପ୍ରକଳ୍ପରୁ ଖୁରୁସିଆ ପଂଚାୟତସ୍ଥ ଦେକଣି ଗାଁର ଦୁଇଟି ୱାର୍ଡ ଓ ପାଟଳିପଙ୍କ ପଂଚାୟତସ୍ଥ କୋରଟ ପଙ୍ଗା ଗାଁର ତିନିଟି ୱାର୍ଡର ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇଥାଏ । ମାତ୍ର ଚଳିତ ସପ୍ତାହରେ ଜଳ ପ୍ରକଳ୍ପ ପମ୍ପ ହାଉସକୁ ବିଦ୍ୟୁତ ଯୋଗାଉ ଥିବା ପୁରୁଣା ଟ୍ରାନ୍ସଫର୍ମରଟି ହଠାତ ଅଚଳ ହୋଇ ପଡିବାରୁ ପାନୀୟ ଜଳଯୋଗାଣ ବନ୍ଦ ରହିଛି । ଦ୍ୱୈତ ପଂଚାୟତ ଅଧୀନରେ ପରିଚାଳିତ ପମ୍ପ ହାଉସ ଅଚଳ ହେବା ପରେବି ପ୍ରଶାସନ ତ୍ୱରିତ ସଚଳ ପାଇଁ ଦୃଷ୍ଟି ଦେଉ ନଥିଲେ । କିନ୍ତୁ ପାଟଳିପଙ୍କ ପଂଚାୟତ କର୍ତ୍ତୃପକ୍ଷ କୋରଟପଙ୍ଗାର ତିନି ୱାର୍ଡ କୁ ଟ୍ୟାଂକଲର ଯୋଗେ ପାନୀୟ ଜଳ ଯୋଗାଉଥିବା ବେଳେ ଖୁରୁସିଆ ପଂଚାୟତ କର୍ତ୍ତୃପକ୍ଷ ଦେକଣି ଗାଁ ଲୋକଙ୍କ ପାନୀୟ ଜଳ କଥା ଭୁଲି ଯାଇଛନ୍ତି । ଅଚଳ ପମ୍ପ ହାଉସ ସଂବଧେ ବିଡ଼ିଓ ମହାକାଳପଡ଼ାଙ୍କୁ ଅବଗତ କରାଇବା ସହିତ ସମ୍ପୃକ୍ତ ଦୁଇଟି ପଂଚାୟତ ଦାଇତ୍ୱରେ ଥିବା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଏବିଷୟରେ ତାଙ୍କୁ କେହିବି ଅବଗତ କରାଇନଥିବା କଥା କହିଥିଲେ । ମାତ୍ର ତ୍ୱରିତ ବେଗରେ ପାନୀୟ ଜଳ ପ୍ରକଳ୍ପକୁ ନିରବଛିନ୍ନ ବିଦ୍ୟୁତ ଯୋଗାଣ ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି । ଦେଖିବାକୁ ବାକିରହିଲା ପ୍ରଶାସନିକ ପ୍ରତିଶୃତି ଅନୁଯାୟୀ କେବେ ସଚଳ ହେବ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ।