ଭୁବନେଶ୍ୱର,୧୨ /୯ : (ପ୍ରଦୀପ୍ତ କୁମାର ଦାସ) – ସମ୍ବଲପୁର ଜିଲ୍ଲା ରାଇରାଖୋଲ ଥାନା ଅନ୍ତର୍ଗତ ବୈଷ୍ଣବଝୁଲି ଠାରେ ଥିବା ଏକ ଗୋଦାମରେ ଚଢ଼ାଉ କରି କ୍ରାଇମବ୍ରାଞ୍ଚ ଏସଟିଏଫ ଚବିଶ ଶହଲିଟର ପିଡ଼ିଏସ କିରୋସିନ ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ ଶନିବାର ଉକ୍ତ ଗୋଦାମରୁ ବେଆଇନ ଭାବେ ଗଛିତ ଥିବା ଏହି କିରୋସିନକୁ ଠାବ କରି ଏହାର ମାଲିକ ପବିତ୍ର ସାହୁକୁ ଗିରଫ କରିଥିଲା । ତାଙ୍କ ଠାରୁ ଏସଟିଏଫ ନଗଦ ୨ ଲକ୍ଷ ଚଉରାଅସୀ ହଜାର ଟଙ୍କା ମଧ୍ୟ ଜବତ କରିଥିଲା । ତେବେ ଏହି ବିପୁଳ ପରିମାଣର ଚୋରା କିରୋସିନ କଳାବଜାରୀ ଉଦ୍ଦେଶ୍ୟରେ ସେଠାରେ ରଖାଯାଇଥିଲା ବୋଲି କୁହାଯାଇଛି ।ଏ ସଂକ୍ରାନ୍ତରେ ଏସଟିଏଫ ଗିରଫ କରିଥିବା ଗୋଦାମ ମାଲିକଙ୍କୁ ଓ ଜବତ କିରୋସିନକୁ ରାଇରାଖୋଲ ଥାନା ପୋଲିସକୁ ହସ୍ତାନ୍ତର କରିବାପରେ ସେଠାରେ ଏକ ମାମଲା ରୁଜୁ କରାଯାଇ ଅଧିକ ଅନୁସନ୍ଧାନ ଜାରିରହିଛି ।