ନୂଆଦିଲ୍ଲୀ, ୧୩/୯ : କିଛି ଦିନ ତଳେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ଅସୁସ୍ଥ ହୋଇଛନ୍ତି । ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଶନିବାର ଦିନ ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।
ମିଳିଥିବା ଖବର ଅନୁଯାୟୀ, କରୋନାରୁ ସଂକ୍ରମଣରୁ ସୁସ୍ଥ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । କିନ୍ତୁ ଗତକାଲି ରାତିରେ ନିଶ୍ୱାସ ନେବାରୁ ଅଧିକ ଅସୁବିଧା ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଏହାପୂର୍ବରୁ କରୋନାରୁ ସୁସ୍ଥ ହେବା ପରେ ଦେଖାଶୁଣା ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଗତ ୩୧ ତାରିଖ ଦିନ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ।
ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସରୁ ସୁସ୍ଥ ହେବା ପରେ ଅମିତ ଶାହା ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମ୍ସ ପକ୍ଷରୁ ମିଳିଥିବା ସୂତ୍ର ଅନୁସାରେ କିଛି ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ରହିଲେ, ଅମିତ ଶାହାଙ୍କ ସ୍ୱାସ୍ଥ୍ୟ ଭଲ ହୋଇଯିବ । ଡାକ୍ତରୀ ଟିମ ଶ୍ରୀ ଶାହାଙ୍କ ଚିକିତ୍ସା ଉପରେ ନଜର ରଖିଛନ୍ତି । ତାଙ୍କୁ ଏମ୍ସର କାର୍ଡିଓ ନ୍ୟୁରୋ ଟାୱରରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ଗୃହମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ଗୁରୁଗ୍ରାମସ୍ଥିିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରି ଭଲ କରିଥିଲେ । ଅଗଷ୍ଟ ୧୪ରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଥିଲା । ଏହା ପରେ ଡାକ୍ତରୀ ଟିମ ତାଙ୍କୁ ହୋମ ଆଇସୋଲେଶନରେ ରହିବାକୁ ପରାମର୍ଶ ଦେଇଥିଲେ ।