କଟକ : ଓଡ଼ିଆ ସିନେ ଜଗତର ଜଣେ ଖ୍ୟାତନାମା ନିର୍ଦେଶକ ଶିଶିର ପତିଙ୍କର ପରଲୋକ ହୋଇଛି। ଶନିବାର ରାତି ସାଢେ ୮ଟା ସମୟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ବ୍ରୋଙ୍କୋ ଆଜମାରେ ପୀଡ଼ିତ ଥିଲେ।
ତାଙ୍କର ମୃତ୍ୟୁ ଖବର ପାଇ ଜଣାଶୁଣା ନିର୍ଦେଶକ ହରିଶ ମହାନ୍ତି, ଅଭିନେତା ବିରାଜ ମହାପାତ୍ର ଏବଂ ଜଣାଶୁଣା ପ୍ରଡକସନ୍ ଡିଜାଇନର୍ ତଥା ଚଳଚ୍ଚିତ୍ର ବିତରକ ଶ୍ରୀକାନ୍ତ ଦାସ (ଦୀପୁ)ଙ୍କ ସମେତ ସିନେଜଗତର କେତେକ ବିଶିଷ୍ଠ ବ୍ୟକ୍ତି ଶିଶିର ମୋହନ ପତିଙ୍କର ଅନ୍ତିମ ଦର୍ଶନ ଲାଗି ତାଙ୍କ ବାସଭବନରେ ପହଞ୍ଚିଥିଲେ। ଗତକାଲି ରାତିରେ କଟକର ସତୀଚଉରାରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ଏସଂପର୍କରେ ତାଙ୍କର ଏକମାତ୍ର ପୁତ୍ର ସୌରଭ ମୋହନ ପତି ସୂଚନା ଦେଇଛନ୍ତି।
ଶିଶିର ମୋହନ ପତି ୧୯୫୬ ମସିହା ଫେବୃଆରି ୨୪ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ ଖ୍ୟାତନାମା ନିର୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ସହକାରୀ ଭାବେ ‘ଡୋରା’(୧୯୮୪) ଚଳଚ୍ଚିତ୍ରରେ କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ପ୍ରଶାନ୍ତ ନନ୍ଦ ନିଜ ବ୍ୟାନରର ଏକ ଫିଲ୍ମ ‘ପଞ୍ଚୁପାଣ୍ଡବ’ (୧୯୮୯)ର ନିର୍ଦେଶନା ଦେବାର ସୁଯୋଗ ଦେଇଥିଲେ ଶିଶିର ମୋହନ ପତିଙ୍କୁ। ଏହାପରେ ଶିଶିର ମୋହନ ପତି ‘ଏଇଠି ସ୍ବର୍ଗ ଏଇଠି ନର୍କ’ ଓ ‘ମା’ ପରି କିଏ ହବ’ ଭଳି ଓଡ଼ିଆ ସିନେମାର ନିର୍ଦେଶନା ଦେଇଥିଲେ। ସେ କେତୋଟି ଧାରାବାହିକର ବି ନିର୍ଦେଶନା ଦେଇଥିଲେ। ସେ ଜଣେ ଅମାୟିକ ଓ ଭଦ୍ର ବ୍ୟକ୍ତି ଭାବେ ଓଲିଉଡରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।