ଭୁବନେଶ୍ୱର,୧୩/୯- (ପ୍ରଦୀପ୍ତ କୁମାର ଦାସ ) – ଆଜି କ୍ରାଇମବ୍ରାଞ୍ଚ ଏସଟିଏଫ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ରୋଡ଼ କଶଲପୁର ଅଂଚଳରୁ ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜାଇ ଜବତ କରିବାସହ ଚାରି ଜଣ ଅନ୍ତରାଜ୍ୟ ନିଶାବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଚାରି କୁଇଣ୍ଟାଲ ଅଣାଅଶୀ କେଜି ଓଜନର ଗଞ୍ଜାଇ ବସ୍ତା ବୋଝେଇ ହୋଇଥିବା ଏକ ବୋଲେରୋ ପିକଅପ ଭ୍ୟାନ୍,ଏକ ହଣ୍ଡା ସିଟି କାର ଓ ନଗଦ ୯ ଲକ୍ଷ ସତସ୍ତରି ହଜାର ୨ ଶହ ଟଙ୍କା ମଧ୍ୟ ଜବତ କରିଛି ଏସଟିଏଫ ।



ଏଥିରେ ସମ୍ପୃକ୍ତ ଚାରି ଜଣଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମଧ୍ୟପ୍ରଦେଶ ବାସିନ୍ଦା ହୋଇଥିବାରୁ ଏମାନେ ଅନ୍ତରାଜ୍ୟ ପେଷାଦାର ଗଞ୍ଜେଇ ମାଫିଆ ବୋଲି ସନ୍ଦେହ କରାଯାଉଛି । ତେବେ ବିଶ୍ୱସ୍ତ ଓ ଗୋଇନ୍ଦା ସୂତ୍ରରୁ ଖବର ପାଇ ଏହାର ଚୋରାଚାଲାଣ ହେବା ବାଟରେ ଏସଟିଏଫ ଚଢ଼ାଉ କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଏ ସଂକ୍ରାନ୍ତରେ ସୁବଳୟା ଥାନାରେ ଏସଟିଏଫର ରିପୋର୍ଟକୁ ଆଧାର କରି ଏନ୍ଡିପିଏସ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରିରହିଥିବା ଖବର ମିଳିଛି ।