କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଲ୍ଲୀପଶି ଗ୍ରାମରେ ଏକ ବିଚିତ୍ର ଘଟଣା ଘଟିଛି । ପ୍ରେମରେ ପଡି ଜଣେ ମାଆ ନିଜର ୪ ବର୍ଷର ଶିଶୁ ପୁତ୍ରକୁ ଛାଡି ପ୍ରେମିକକୁ ଆପଣାର କରିଛନ୍ତି । ଏଘଟଣାକୁ ନେଇ ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁଯାୟୀ, ମଲ୍ଲୀପଶି ଗ୍ରାମର ସୁଦାମ ନାଏକ ଗତ ୨୦୧୫ ମସିହାରେ ଚକ ନିକଟସ୍ଥ ରଙ୍ଗାମାଟିଆ ଗ୍ରାମର ନୂଆ ସାହିର ସୁଭଦ୍ରା ଦାସଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଉଭୟଙ୍କର ୪ ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି। ଗତ ୫ ତାରିଖ ଶନିବାର ଦିନ ସୁଦାମଙ୍କ ସ୍ତ୍ରୀ ସୁଭଦ୍ରା ଘରୁ କୁଆଡେ ପଳାଇଯାଇଥିଲେ । ଏନେଇ ସୁଦାମ ପାଟଣା ଥାନାରେ ସ୍ତ୍ରୀ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ। କିନ୍ତୁ ଶନିବାର ନିଖୋଜ ପତ୍ନୀ ନିଜ ପ୍ରେମିକ ସହିତ ପାଟଣା ଥାନାରେ ପହଞ୍ଚି ପ୍ରେମିକଙ୍କୁ ନିଜର କରି ତାଙ୍କ ସହିତ ସାରା ଜୀବନ ରହିବେ ବୋଲି ରୋକଠୋକ୍ ଶୁଣାଇଥିଲେ । ଏଥିରେ ନିଖୋଜ ପତ୍ନୀଙ୍କ ସ୍ୱାମୀ ସୁଦାମ ନିରୁପାୟ ହୋଇପଡ଼ିଥିଲେ ।
ପାଟଣା ଥାନାରେ ଉଭୟଙ୍କୁ ପକ୍ଷରୁ ମତ ରଖି ପ୍ରେମିକ ସହିତ ବିବାହିତା ମହିଳାଙ୍କୁ ପଠାଇଥିବା ଜଣା ପଡ଼ିଛି। କିନ୍ତୁ ମାଆର ପ୍ରେମ ଆଗରେ ଏବେ ବଳି ପଡିଯାଇଛି ୪ ବର୍ଷର ଶିଶୁ ପୁତ୍ର । ଏବେ ଏହି ଘଟଣା ପାଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।