ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର,୧୪/୯ : ଆସନ୍ତା ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । କରୋନା ଆତଙ୍କ ମଧ୍ୟରେ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେବ। ଅକ୍ଟେବାର ୭ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ଅଧିବେଶନ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ ।

ତେବେ କୋଭିଡ୍ ଜନିତ ପରିସ୍ଥିତିରେ ରହିଛି କଡା ଗାଇଡଲାଇନ୍ । ବିଧାୟକଙ୍କ ପ୍ରବେଶ ପାଇଁ ସ୍ଥିର ହୋଇଛି ନିୟମ । ବିଧାନସଭାରେ ପ୍ରବେଶ ପୂର୍ବରୁ ବିଧାୟକମାନଙ୍କର କରୋନା ଟେଷ୍ଟ କରାଯିବ। ଦୁଇ ପର୍ଯ୍ୟାୟରେ କୋଭିଡ୍ ଟେଷ୍ଟ ହେବ । ନେଗେଟିଭ୍ ଆସିଲେ ଅଧିବେଶନରେ ଯୋଗଦେବେ । ଏହାସହ ବିଧାୟକମାନେ ଘରେ ସଙ୍ଗରୋଧରେ ରହିବା ପାଇଁ ଆଜି ନିଷ୍ପତ୍ତି ହୋଇଛି ।

ବିଧାନସଭାରେ ପ୍ରବେଶ କରିବାକୁ ହେଲେ ବିଧାୟକଙ୍କୁ କରୋନା ଟେଷ୍ଟ ଜରୁରୀ। ବିଧାନସଭାରେ ବସିବାକୁ ଯାଉଥିବା ମୌସୁମୀ ଅଧିବେଶନ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ବିଧାନସଭାରେ ମୌସୁମୀ ଅଧିବେଶନ ବସିବାର ଦୁଇଦିନ ପୂର୍ବରୁ ସମସ୍ତ ବିଧାୟକଙ୍କ କେରାନା ଟେଷ୍ଟ କରାଯିବ । ଯେଉଁ ମାନଙ୍କର ନେଗଟିଭ ଆସିବ ସେମାନଙ୍କୁ ବିଧାନସଭାକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଏହା ପରେ ପୁଣି ୫ ଦିନ ପରେ ଟେଷ୍ଟ କରାଯିବ।

ଏହା ସହିତ ବିଧାନସଭା ଚାଲିଥିବା ସମୟରେ ଯଦି କୌଣସି ବିଧାୟକଙ୍କର କରୋନା ଲକ୍ଷଣ ଦେଖାଯିବ ତାହେଲେ ସଙ୍ଗେସଙ୍ଗେ ଆଣ୍ଟିଜେନ କିଟରେ ଟେଷ୍ଟ କରାଯିବ। ସେଥିପାଇଁ ବିଧାନସଭାରେ ବ୍ୟବସ୍ଥା କରାଯିବ। ବିଧାନସଭାକୁ ଆସିଥବା ବିଧାୟକମାନେ ଘରେ ସଙ୍ଗରୋଧରେ ରହିବେ। କାହାକୁ ଭେଟିବେ ନାହିଁ । ନିର୍ବାଚନ ମଣ୍ତଳୀକୁ ଯିବେ ନାହିଁ। ଏହା ସହିତ ସମାଜିକ ଦୂରତ୍ବ ପାଇଁ ବିଧାୟକମାନଙ୍କ ପାଇଁ ସ୍ବତନ୍ତ୍ର ସିଟିଂ ବ୍ୟବସ୍ଥା କରାଯିବ । ୬୦ ବର୍ଷରୁ ଉର୍ଦ୍ଧ ସଦସ୍ୟ ମାନଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଗାଇଡଲାଇନ୍ ଜାରି ହୋଇଛି।