ଜଳେଶ୍ୱର, ୧୫/୯ : ଆଜି ପୂର୍ବାହ୍ନ ୧୦ଟା ବେଳେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଝିଅ ସହ ବାଇକରେ ଯାଉଥିବା ବେଳେ ପଛରୁ ଏକ ପିକଅପ୍ ଭ୍ୟାନ୍ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଓ ଅଢ଼େଇ ବର୍ଷର ଶିଶୁକନ୍ୟା ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ନିଜ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ତାଙ୍କ ନଛିମପୁର ପଞ୍ଚାୟତର ନାଙ୍ଗାଡ ସାହିକୁ ନିଜ ସ୍ତ୍ରୀ ଓ ଝିଅ ସହ ବାଇକରେ ଯାଉଥିଲେ। ଏହି ସମୟରେ ପଛରୁ ଏକ ପିକଅପ୍ ଭ୍ୟାନ୍ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ମମତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇବା ପରେ ତାର ଚାଳକ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିବା ଜଣାଯାଇଛି। ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ପଡିଥିବା ଉକ୍ତ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପରେ ଉଭୟଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଜଳେଶ୍ୱର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।