ବିହାର : ବିହାରର ହାଜିପୁର ୩୨୨ ଜାତୀୟ ରାଜପଥରେ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ଯାଇଛି। ଫଳରେ ରାସ୍ତା ଯାକ ଚାଉଳ ବିଛାଇ ହୋଇ ପଡିବା ପରେ ଏହା ଲୁଟ କରିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକ ବସ୍ତାକୁ ପଳାଉଥିବା ବେଳେ ତାଙ୍କୁ ଅଟକାଇଥିଲା।
ଏହି ଘଟଣା ରବିବାର ସନ୍ଧ୍ୟା ସମୟର। ଗୋଦାମରୁ ଏଫସିଆଇର ଚାଉଳଲଦା ହୋଇ ଯିବା ବାଟରେ ଭଗବାନପୁର ଥାନା ଅନ୍ତର୍ଗତ ସତପୁରା ଗାଁ ନିକଟରେ ଉକ୍ତ ଚାଉଳ ବୋଝେଇ ଟ୍ରକଟି ଓଲଟି ପଡ଼ିଥିଲା। ଏହାପରେ କିଛି ଲୋକେ ଚାଉଳ ବସ୍ତା ନେଇ ପଳାଇବାକୁ ଉଦ୍ୟମ କରିବା ସମୟରେ ପୁଲିସ ଓ ଏଡ଼ିଏମ ତାଙ୍କୁ ଅଟକାଇବା ସମୟରେ ଲୋକେ ତାଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାପରେ ପୁଲିସ ଟ୍ରକକୁ ଘେରିବା ସହ ଗାଁରେ ମଧ୍ୟ ତଲାସି ଓ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ କିଛି ଲୋକଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଚାଉଳକୁ ମଧ୍ୟ ଜବତ କରିଛି। ଏହାସହ ନିୟମ ଅନୁଯାୟୀ, ରାତି ସମୟରେ ସରକାରୀ ଚାଉଳ କୌଣସି ସ୍ଥାନକୁ ନିଆଯାଇନଥାଏ। ତେବେ କେଉଁ କାରଣରୁ ରାତିରେ ଚାଉଳ ନିଆଯାଉଥିଲା ତାହାର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।