ଭୁବନେଶ୍ୱର,୧୫ /୯: (ପ୍ରଦୀପ୍ତ କୁମାର ଦାସ) – ଚୌଦ୍ୱାର ବେହେରା ସାହି ଠାରେ ଦୀର୍ଘଦିନ ଧରି ବେଆଇନ ଭାବେ ଚାଲିଥିବା ଏକ ବଡ ନକଲି ଘିଅ ଓ ସସ କାରଖାନା ଉପରେ ସୋମବାର ଚଢ଼ାଉ କରିଥିଲା ସ୍ଥାନୀୟ ପୋଲିସ । ସେଠାରୁ ପୋଲିସ ବିପୁଳ ପରିମାଣର ଘିଅ ଓ ସସ ଜବତ କରିଛି । କୁଇଣ୍ଟାଲ କୁଇଣ୍ଟାଲ ଘିଅ ଓ ବିଭିନ୍ନ ପ୍ରକାରର ସସ ଶହଶହ ବୋତଲ ଓ ଡବାରେ ଭର୍ତ୍ତି ଥାଇ ତା ଉପରେ ନାମୀ ବ୍ରାଣ୍ଡର ଲେବୁଲ ମରାଯାଇଥିବା ଦେଖିବାକୁ ପାଇଥିଲା ପୋଲିସ ।ଏହାଛଡା ଏସବୁ ନକଲି ଖାଦ୍ୟ ସାମଗ୍ରୀ ତିଆରି ତଥା ପ୍ରସ୍ତୁତିରେ ବ୍ୟବହୃତ ଅନେକ ମେସିନ,ଆନୁସଙ୍ଗିକ ଯନ୍ତ୍ରପାତି ,କେମିକାଲ,ଏସିଡ,ପ୍ରିଜରଭେଟିଭ,ଫ୍ଲାବର,ଗଦାଗଦା ବିଭିର୍ନ ନାମୀ ବ୍ରାଣ୍ଡର ଲେବୁଲ ଓ ଅନାନ୍ୟ ସରଞ୍ଜାମ ମଧ୍ୟ ଜବତ ସେଠାରୁ କରାଯାଇଛି । ଏସବୁ ମାଲ ପରିବହନ କରାଯାଉଥିବା ଏକ ମିନି ଟ୍ରକକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ଏହି ବେଆଇନ କାରଖାନା ଚଳାଇ ଆସୁଥିବା ମାଲିକକୁ ପୋଲିସ ଗିରଫ କରି ପଚରା ଉଚରା ଚଳାଇଥିବା ଜଣାପଡିଛି । ପୋଲିସ ସେଠାରେ ଛାପା ମାରିଲା ବେଳେ କେତେକ କର୍ମଚାରୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା କୁହାଯାଉଛି। ଚୌଦ୍ୱାର ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯିବା ସହ ଆହୁରି ଅଧିକ ଅନୁସଂଧାନ ଜାରି ରହିଛି ।

ଏଠାରେ ସୂଚନା ଯୋଗ୍ୟଯେ ନିକଟରେ ଜଗତପୁର ଅଂଚଳରୁ ମଧ୍ୟ ଅନୁରୂପ ଭାବେ ନକଲି ମହୁ,ଗଙ୍ଗାଜଳ ଓ ଅଗୁରୁ ଇତ୍ୟାଦି ନକଲି ପୂଜା ସାମଗ୍ରୀ ତିଆରି କାରଖାନା ଉପରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ନକଲି ପୂଜା ସାମଗ୍ରୀ ଜବତ କରିଥିଲା। ତେବେ ବହୁ ଦିନ ଧରି ସେଠାରେ ଏସବୁ ନକଲି ସାମଗ୍ରୀ ବେଆଇନ ଭାବେ ତିଆରି କରାଯାଇ କଟକ,ଭୁବନେଶ୍ୱର,ଯାଜପୁର,କେନ୍ଦ୍ରାପଡା, ଜଗତସିଂପୁର,ଢେଙ୍କାନାଳ ଓ ଭଦ୍ରକର ବିଭିର୍ନ ଅଂଚଳକୁ ବିକ୍ରି ପାଇଁ ପଠାଯାଉଥିଲା ବୋଲି ଜଣାପଡିଛି । ହେଲେ ସବୁଠାରୁ ବିସ୍ମୟର କଥା ଯେ ସରକାରଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟ ଯୋଗାଣ ବିଭାଗ ସମେତ ସ୍ଥାନୀୟ ପ୍ରଶାସନ ଆଖିରେ ଧୂଳିଦେଇ ସମ୍ପୃକ୍ତ ଅସାଧୁ ଓ ମୁନାଫାଖୋର ବ୍ୟବସାୟୀମାନେ ନିର୍ବିଘ୍ନରେ କିପରି ଏପରି କାରନାମା ଚଳାଇ ଆସୁଥିଲେ ସେ ନେଇ ସାଧାରଣରେ ଏବେ ଘୋର ଅସନ୍ତୋଷ ଓ ପ୍ରଶ୍ନବାଚୀ ଦେଖାଦେଇଛି ।