ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ, ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ

କନ୍ଧମାଳ, ୧୫/୯ : ଗତ କିଛିଦିନ ଧରି କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି । ପୋଲିସ ପକ୍ଷରୁ ମଧ୍ୟ ଲଗାତାର ଭାବେ କମ୍ବିଂ ଓ ସର୍ଚ୍ଚ ଅପରେସନ କରାଯାଉଛି । ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହେବା ସହ କ୍ୟାଡର୍ ମଧ୍ୟ ମୃତାହତ ହେଉଛନ୍ତି । ସେହିପରି ମଙ୍ଗଳବାର ମଧ୍ୟ ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି ।

ସୂଚନାନୁସାରେ, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଲୁବେନଗଡ଼ ଗ୍ରାମ ପଞ୍ଚାୟତର ସାମାନ୍ତରେ ଥିବା ପାଙ୍ଗାବାଜୁ ଗୁମି ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଜଙ୍ଗଲରେ ମାଓ କ୍ୟାମ୍ପ ଥିବା ଯବାନଙ୍କୁ ସୂଚନା ମିଳିଥିଲା । ସୂଚନା ଆଧାରରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ସୁରକ୍ଷାକର୍ମୀମାନେ ଜଙ୍ଗଲରୁ ଅନେକ ମାଓ ସାମଗ୍ରୀ ଜବତ କରିଛନ୍ତି । ତେବେ ମୃତାହତ ନେଇ କୌଣସି ସୂଚନା ମିଳିପାରି ନାହିଁ ।