ପ୍ରଶାସନ କୋଭିଡ କଟକଣା ଭୁଲି ବ୍ୟବସାୟୀଙ୍କ ପରିବର୍ତ୍ତେ ସାଧାରଣ ଲୋକଙ୍କୁ ଦେଲେ ଜମ୍ବୁ ମାର୍କେଟ କମ୍ପ୍ଲେକ୍ସ ଗୃହ

ମହାକାଳପଡ଼ା,୧୫ /୯ : (କେଶବ ଚନ୍ଦ୍ର ନାଥ) – ଜମ୍ବୁ ପଂଚାୟତର ବ୍ୟବସାୟୀଙ୍କ ଉନ୍ନତି ପରୀକଳ୍ପେ ପ୍ରଶାସନ ଜମ୍ବୁ ବଜାରରେ ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ କରାଇଥିଲେ । ମାତ୍ର ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଲୋକାର୍ପିତ ହେବାପରେ ପଶାସନଙ୍କୁ ନାଲି ଆଖି ଦେଖାଇ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି କମ୍ପ୍ଲେକ୍ସ ଗୃହକୁ ଜବରଦଖଲ କରି ବ୍ୟବସାୟ ଚଳାଉଥିଲେ । ବ୍ୟବସାୟୀଙ୍କୁ ଜବରଦଖଲରୁ ଉଛେଦ କରିବାପରେ ବ୍ଲକ ପ୍ରଶାସନ କମ୍ପ୍ଲେକ୍ସର ୧୬ ଟି ଗୃହ ଆବଣ୍ଟନର ସୂତ୍ର ଖୋଜୁଥିଲା । ଯାହାନେଇ ମଙ୍ଗଳବାର ଦିନ ଗୃହ ପାଇଁ ଆବେଦନ କରଥିବା ୪୭୪ ଆବେଦନ କାରୀଙ୍କ ମଧ୍ୟରେ ଲଟେରୀ (ଭାଗ୍ୟ ଗୁଳା) ଯୋଗେ ଉଠାଣ କରାଇଥିଲେ । ମାତ୍ର ଆବେଦନକାରୀଙ୍କ ମଧ୍ୟରୁ ଅଧିକାଂଶ ବ୍ୟବସାୟୀ ହୋଇନଥିବା ବେଳେ ଗୋଟିଏ ମୋବାଇଲ ନମ୍ବର ଥାଇ ଅଲଗା ଅଲଗା ବ୍ୟକ୍ତିଙ୍କ ନାମେ ଆବେଦନ ହୋଇଥିଲା । ଯାହାକି ଜଣେ ବ୍ୟବସାୟୀ ଏକାଧିକ ଘର ପାଇବା ଆଶାରେ ଏଭଳି କରିଥିବା କଥା ଅନ୍ୟ ଆବେଦନକାରିମାନେ କହନ୍ତି । ଆହୁରି ମଧ୍ୟ ଯେଉଁ ବ୍ୟକ୍ତି ଲଟେରୀ ଉଠାଣ କରୁଥିଲେ ସେ ଉଚିତ ଭାବେ ଟିକେଟ ଫେଂଟୁନଥିବାରୁ ବେନାମୀ ବ୍ୟବସାୟୀଙ୍କ ନାମ ଉଠାଣ ହୋଇଛି । ଜଣେ ଜଣେ ବ୍ୟବସାୟୀ ଅନ୍ୟ ଲୋକ ଓ ନିଜ ପରିବାର ଲୋକଙ୍କ ନାମରେ ଆବେଦନ କରି ଏକାଧିକ ଗୃହ ହାତେଇଥିବାର ଅଭିଯୋଗ ହେଉଛି ।

ରାଜନୀତି ଦଳିଆ ସମର୍ଥକଙ୍କ ଗୋଟେ ଗୋଟେ ପରିବାରକୁ ଏକରୁ ଅଧିକ ଘର ମିଳିଛି । ଯାହାଫଳରେ ବ୍ଲକ ପ୍ରଶାସନ ଆବେଦନ କାରୀଙ୍କୁ ଭୁଆଁ ବୁଲାଇ ହାତ ସଫେଇ ଲଟେରୀ ଯୋଗେ ଅଧିକାଂଶ ଗୃହ ଜବରଦଖଲ କାରୀଙ୍କୁ ଗୃହ ଯୋଗାଇ ଦେଇଛନ୍ତି । ପ୍ରଶାସନ ଆବେଦନ କାରୀମାନଙ୍କ ବୃତ୍ତି ନ ତନଖି ହୁଣ୍ଡା ମୁଲିଆ ଭାବେ ଗୃହ ଆବଣ୍ଟନ କାର୍ଯ୍ୟକ୍ରମ ବେଳେ ସାମାଜିକ ଦୂରତା ଓ ମାସ୍କକୁ ଗୁରୁତ୍ୱ ନଦେଇ ସର୍ବସାଧାରଣ ସ୍ଥାନରେ କୋଭିଡ କଟକଣାକୁ ଭୁଲି ଯାଇ ଗୃହ ଆବଣ୍ଟନ ସାରିଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜମ୍ବୁ ପୋଲିସ ସହିତ ଜିପିଓ ମଧ୍ୟ ଉପସ୍ଥିତି ଥିବାର ଜଣାପଡିଛି ।