ଭୁବନେଶ୍ୱର, ୧୬/୯ : ଆସୁଛି ଆଉ ଏକ ଲଘୁଚାପ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୦ ଓ ୨୧ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଫଳରେ ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖ ଦିନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ଏବେ ଦୁର୍ବଳ ହୋଇଯାଇଛି।
ଅନ୍ୟପଟେ ମୌସୁମୀ ଏବେ ରାଜ୍ୟରେ ଦୁର୍ବଳ ରହିଛି। ତେଣୁ ଆସନ୍ତା ୩ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ପାଗ ଶୁଖିଲା ଓ ଖରାଟିଆ ରହିବ। ତାପମାତ୍ରା ସ୍ୱାଭାବିକଠାରୁ ୨/୩ ଡିଗ୍ରି ଅଧିକ ରହିବ। ୩ ଦିନ ଧରି ଏପରି ସ୍ଥିତି ଲାଗି ରହିବା ପରେ ୧୯ତାରିଖ ଆଡ଼କୁ ପାଗରେ ପରିବର୍ତ୍ତନ ଆସିବ। ୨୦ ତାରିଖ ଦିନ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ରାଜ୍ୟରେ ବର୍ଷା କରାଇବ ।