ନୂଆଦିଲ୍ଲୀ, ୧୬/୯ : ଜଳସୀମା ଉଲଂଘନ ଅଭିଯୋଗରେ ପାକିସ୍ଥାନ ନୌସେନା ଆଜି ଭାରତୀୟ ଜଳସୀମା ମଧ୍ୟରେ ପ୍ରବେଶ କରି ୮ଟି ବୋଟରେ ସବାର ୪୫ ମତ୍ସ୍ୟଜୀବୀଙ୍କୁ ବନ୍ଦୀ କରିଛି । ବନ୍ଦୀ ହୋଇଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ କରାଚୀ ବନ୍ଦରକୁ ନିଆଯାଇଛି। ୮ଟି ବୋଟ୍ ମଧ୍ୟରୁ ୬ଟି ପୋରବନ୍ଦର ଓ ୨ଟି ବୋଟ୍ ବିରାବଲ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହାକୁ ନେଇ ଗୁଜରାଟର ମତ୍ସ୍ୟଜୀବୀମାନେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପାକ୍ ନୌସେନା ଦ୍ୱାରା ଗିରଫ ମତ୍ସ୍ୟଜୀବୀମାନେ ଭାରତୀୟ ଜଳସୀମା ମଧ୍ୟରେ ମାଛ ଧରୁଥିଲେ, ମାତ୍ର ପାକ୍ ନୌସେନା ସେମାନଙ୍କୁ ଅଯଥାରେ ବନ୍ଦୀ କରି ନେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ପାକ ନୌସେନାର ଏହି କାର୍ଯ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ସତର୍କ ହୋଇଯାଇଛି । ଏହାପୂର୍ବରୁ ଗତ ଫେବ୍ରୁଆରୀ ମାସରେ ପାକ୍ ତଟରକ୍ଷୀବାହିନୀ ସୌରାଷ୍ଟ୍ରର ୩ଟି ନୌକା ସହ ୧୭ ମତ୍ସ୍ୟଜୀବୀଙ୍କୁ ବନ୍ଦୀ କରି ନେଇଥିଲା । ଏମାନେ ଏବେ କରାଚୀ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି ।