ମହାକାଳପଡ଼ା,୧୬ /୯ : (କେଶବ ଚରଣ ନାଥ) – କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧିନସ୍ଥ ଉପାନ୍ତ ବତୀଘର ପଂଚାୟତରେ ପ୍ରଶାସନିକ ଅବହେଳାରୁ ଦିନକୁ ଦିନ ଚୋରା ମଦ ବେପାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବେଆଇନ ମଦବେପାରୀଙ୍କୁ ଜବତ କରିବା ନେଇ ବୁଧବାର ଦିନ ଅବକାରୀ ବିଭାଗ ଓ ସ୍ଥାନୀୟ ସାମୁଦ୍ରିକ ଥାନା ପୋଲିସ ବତୀଘର ପଂଚାୟତରେ ମିଳିତ ଚଢ଼ାଉ ଜାରିରଖିଥିଲେ । ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ମହେଶ୍ୱର ସେଠି ସଦଳବଳେ ଅବକାରୀ ବିଭାଗୀୟ କର୍ମକର୍ତ୍ତାମାନଙ୍କ ସହିତ ବରକୋଳିଖୋଳା ଓ ବତୀଘର ଗାଁରେ ଚଢ଼ାଉ କରି ୭୦୦ ବୋତଲ ବିଦେଶୀ ଓ ୨୦ ଲିଟର ଦେଶୀ ମଦ ଜବତ କରିଛି । ଉତ୍ତର ବରକୋଳିଖୋଳା ହରିପଦ ସାମନ୍ତ, ଦକ୍ଷିଣ ବରକୋଳିଖୋଳାର ମୃଣମୟ ଗିରି ଓରଫ ହାଡୁ ଓ ବତୀଘରର ଲାଲୁ ବେରାଙ୍କୁ ଗିରଫ କରିଛି । ପୋଲିସ ହରି ପଦକୁ ଗିରଫ କରିଥିବା ବେଳେ ଅବକାରୀ କର୍ମଚାରୀ ମୃଣମୟ ଓ ଲାଲୁକୁ ଗିରଫ କରିଛି । ପୋଲିସ କେଶ ନମ୍ବର ୧୦୯/୨୦ ଯୋଗେ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ ଜାରି ରଖିଥିବାର ଜଣାପଡିଛି ।