ନିଲମ୍ବିତ ହେଲେ ମଦ୍ୟପ ଶିକ୍ଷକ

ମହାକାଳପଡ଼ା, (କେଶବ ଚନ୍ଦ୍ର ନାଥ) : କେନ୍ଦ୍ରାପଡା ଶିକ୍ଷା ଜିଲ୍ଲା ଅଧିନସ୍ଥ ମହାକାଳପଡ଼ା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଛେଡ଼ାକଣି କ୍ଲଷ୍ଟର ନେତାଜୀ ଉ:ପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ଅପୂର୍ବ କୁମାର ରାଉତ ଶୁକ୍ରବାର ଦିନ ମଦ୍ୟପାନ କରି ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ନିଶାସକ୍ତ ଅବସ୍ଥାରେ ପଶି ଉନ୍ମୁକ୍ତ କାଣ୍ଡ ସୃଷ୍ଟି କରିବା ପରେ ନିଲମ୍ବିତ ହୋଇଛନ୍ତି । ପୁର୍ବାହ୍ନରେ ମଦ୍ୟପ ଶିକ୍ଷକ ନିଶାସକ୍ତ ଅବସ୍ଥାରେ ମଙ୍ଗଳପୁରସ୍ଥ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଫାଇଲ ପତ୍ର ଫୋପଡା କଚଡ଼ା କରିଥିଲେ । ଏପରିକି କାର୍ଯ୍ୟାଳୟର ମୁଖ୍ୟ ଫାଟକ ବନ୍ଦକରି ଭିତ୍ତିହୀନ ବିଭିନ୍ନ ଦାବି ବିଷୟରେ ନିଜକୁ ନିଜେ କହୁଥିବାର ଦେଖି ମିଳିଥିଲା । ଆହୁରି ମଧ୍ୟ ଫାଟକକୁ କିଛି ସମୟଧରି ବନ୍ଦରହିବାରୁ କାର୍ଯ୍ୟାଳୟ ଭିତରେ ଥିବା କର୍ମଚାରୀ ବାହାରକୁ ଓ ବାହାରେ ଥିବା କର୍ମଚାରୀ ଅଫିସକୁ ଭିତରକୁ ଯାଇ ପାରିନଥିଲେ । ଏନେଇ ଅଫିସରେ କାର୍ଯ୍ୟରତ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ମଦ୍ୟପ ଶିକ୍ଷକଙ୍କୁ ଗାଡ଼ିରେ ଉଠାଇ ନେବାରୁ ପରିସ୍ଥିତି ଶାନ୍ତ ପଡିଥିଲା । ପରବର୍ତ୍ତୀ ସମୟରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ପତ୍ରlଙ୍କ 1280/18.09.2020 ଯୋଗେ ନିଲମ୍ବନ କରିଥିବାର ଜଣାପଡିଛି ।