ଶ୍ରୀଜୀଉଙ୍କ ୨୬ବର୍ଷ ପରେ ନାଗାର୍ଜୁନ ବେଶ ପାଇଁ ଛତିଶା ନିଯୋଗ ବୈଠକ

ପୁରୀ,୨୩ /୯ : ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ସମ୍ପର୍କରେ ଆଲୋଚନା ପାଇଁ ଖୁବ୍‌ଶୀଘ୍ର ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ତାହାକୁ ଭିତ୍ତିକରି ନୀତି ସବ୍‌କମିଟି ବୈଠକରେ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯିବ। କରୋନା ବିପତ୍ତି ଯୋଗୁଁ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ କି ନାହିଁ ସେ ସମ୍ପର୍କରେ ପରିଚାଳନା କମିଟି ନିଷ୍ପତ୍ତି ଗ୍ରହଣ କରିବେ। ଆବଶ୍ୟକସ୍ଥଳେ ରାଜ୍ୟ ସରକାରଙ୍କ ମତାମତ ଲୋଡାଯିବ। ତେବେ ନଭେମ୍ବର ୨୭ତାରିଖରେ ଦାରୁବ୍ରହ୍ମଙ୍କୁ ନାଗାର୍ଜୁନ ବେଶ କରାଯିବା ନିଶ୍ଚିତ ହୋଇଛି।

ପ୍ରାୟ ୨୬ବର୍ଷ ପରେ ଚଳିତବର୍ଷ ଶ୍ରୀଜୀଉଙ୍କ ଆକର୍ଷଣୀୟ ନାଗାର୍ଜୁନ ବେଶ ହେଉଥିବାରୁ ତାହାକୁ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ଚଳିତବର୍ଷ ରଥଯାତ୍ରା ପରି ନାଗାର୍ଜୁନ ବେଶରେ ସ୍ଥାନୀୟ ଅଧିବାସୀଙ୍କ ସମେତ ଜଗନ୍ନାଥପ୍ରେମୀ ଭକ୍ତମାନେ ସହଯୋଗ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ତେବେ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ କି ନାହିଁ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ। ଏ ସମ୍ପର୍କରେ ଆଲୋଚନା ପାଇଁ ଖୁବ୍‌ଶୀଘ୍ର ଛତିଶା ନିଯୋଗ ଏବଂ ନୀତି ସବ୍‌କମିଟି ବୈଠକ ଡକାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି। ନାଗାର୍ଜୁନ ବେଶ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସେ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ କାର୍ତ୍ତିକମାସରେ ଏହି ବେଶ ଅନୁଷ୍ଠିତ ହେବ।

ଗବେଷକଙ୍କ ମତ ଅନୁଯାୟୀ ଯେଉଁବର୍ଷ କାର୍ତ୍ତିକମାସରେ ପଞ୍ଚକ ୫ଦିନ ପରିବର୍ତ୍ତେ ୬ଦିନ ପଡିଥାଏ ଅର୍ଥାତ୍‌ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପଞ୍ଚକର ଯେଉଁତିଥି ମଳରୁହେ ସେହି ତିଥିରେ ଠାକୁରଙ୍କୁ ନାଗାର୍ଜୁନ ବେଶ କରାଯାଏ। ଏହାପୂର୍ବରୁ ୧୯୬୬ ନଭେମ୍ବର ୨୬, ୧୯୬୭ ନଭେମ୍ବର ୧୬, ୧୯୬୮ ନଭେମ୍ବର ୩ରେ ଲଗାତାର ୩ବର୍ଷଧରି ଠାକୁରଙ୍କୁ ନାଗାର୍ଜୁନ ବେଶ କରାଯାଇଥିଲା। ଏହାର ୨୭ବର୍ଷ ପରେ ୧୯୯୩ ନଭେମ୍ବର ୨୬ରେ ଦାରୁବ୍ରହ୍ମ ନାଗାର୍ଜୁନ ବେଶ ହୋଇଥିଲେ। ପୁନର୍ବାର ୧୯୯୪ ମସିହାରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ନାଗାର୍ଜୁନ ବେଶ କରାଯାଇଥିବା ଜଣାପଡିଛି। ଏଥିପାଇଁ ପ୍ରାୟ ୩୦ରୁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ୧୯୯୩ ନାଗାର୍ଜୁନ ବେଶରେ ପ୍ରବଳ ଜନ ସମାଗମ ଯୋଗୁଁ ଦଳାଚକଟା ହୋଇଥିଲା। କେତେକ ଭକ୍ତଙ୍କର ସେଥିରେ ମୃତ୍ୟୁ ହୋଇଥିଲା। ନାଗାର୍ଜୁନ ବେଶରେ ଠାକୁରଙ୍କୁ ନାଗାପରି ବେଶ କରାଯାଏ। ଶ୍ରୀଜଗନ୍ନାଥଙ୍କ ଶ୍ରୀହସ୍ତରେ ଶଙ୍ଖଚକ୍ର ଏବଂ ଶ୍ରୀବଳଭଦ୍ର ହଳମୂଷଳ ଧାରଣ କରିଥାଆନ୍ତି। ଦାରୁବ୍ରହ୍ମଙ୍କ ବେଶଗୁଡିକ ମଧ୍ୟରେ ନାଗାର୍ଜୁନ ବେଶ ଅତ୍ୟନ୍ତ ଆକର୍ଷଣୀୟ ଏବଂ ମନମୁଗ୍ଧକର।