ନୂଆଦିଲ୍ଲୀ, ୨୩/୯ : ସୀମାରେ ଭାରତୀୟ ସେନାର ସମରସଜ୍ଜାରେ ଏବେ ଚୀନ୍ ସୈନିକ ଆତଙ୍କିତ ହୋଇପଡିଛନ୍ତି। ଏବେ ଭାରତ ସୀମାରେ ମୁତୟନ ଆଦେଶ ଧରିବାକୁ ସେମାନଙ୍କ ହାତ ଥରୁଛି। ଏଥିରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାରତ ସୀମାକୁ ପଠାଯାଉଥିବା ଚୀନ୍ ସୈନିକ କାନ୍ଦି କାନ୍ଦି ଯାଉଥିବାର ଦେଖାଯାଉଛି।
ପଡୋଶୀ ଦେଶର ସୈନିକ ଏହି ପରି ଭୟଭୀତ ଅଛନ୍ତି ଯେ, ସେମାନଙ୍କର ପୋଷ୍ଟିଂ ଏଲଏସିରେ ହେଉଥିବା ଖବର ଶୁଣି ଆଖିରେ ଲୁହ ଚାଲି ଆସୁଛି। ସାମାଜିକ ଗଣମାଧ୍ୟମରେ ପିପୁଲ୍ସ ଲିବେରେସନ(ପିଏଲଏ)ର ସୈନିକ କାନ୍ଦୁଥିବା ଭିଡିଓ ସାମ୍ନାକୁ ଆସିଛି। କୁହାଯାଉଛି ଚୀନ ସୈନିକ କାନ୍ଦିବାର କାରଣ ହେଉଛି ସେମାନଙ୍କୁ ଲଦାଖରେ ମୁତୟନ କରାଯାଉଛି।
ପାକିସ୍ତାନର କମେଡିୟାନ ଜୈଦ ହାମିଦ ସେପ୍ଟେମ୍ବର ୨୨ରେ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ କିଛି ଚୀନ ସୈନିକ ଏକ ବସରେ ଯାଉଥିବା ଦେଖିବାକୁ ମିଳିଛି। ହେଲେ ସମସ୍ତେ କାନ୍ଦୁଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ସୈନିକଙ୍କ କାନ୍ଦିବାର କାରଣ ସେମାନଙ୍କର ପୋଷ୍ଟିଂ ଲଦାଖ ସୀମାରେ ହେବାକୁ ଯାଉଛି। ତାଇଓ୍ଵାନ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ବସରେ ବସିଥିବା ଚୀନ ସୈନିକ ପିଏଲଏର ଗୀତ ‘ଗ୍ରୀନ ଫ୍ଲାଓ୍ଵର୍ସ ଇନ ଦ ଆର୍ମି’ ସଙ୍ଗୀତକୁ ବହୁତ ମୁସ୍କିଲରେ କାନ୍ଦି କାନ୍ଦି ଗାଉଛନ୍ତି।
ଏହି ଭିଡିଓକୁ ସର୍ବପ୍ରଥମେ ଓ୍ଵିଚାଟ୍ର ଫୁୟାଙ୍ଗ ସିଟି ଓ୍ଵିକଲିର ପୃଷ୍ଠାରେ ଅପଲୋଡ୍ କରାଯାଇଥିଲା। ମାତ୍ର ପରେ ଏହି ଭିଡିଓକୁ ହଟାଇ ଦିଆଯାଇଛି। ପ୍ରକୃତ ଫୁଟେଜ୍ରେ ୟିଙ୍ଗଝାଉ ଜିଲ୍ଲାର କୁୟାଙ୍ଗ ସିଟିର ୧୦ ନୂତନ ସୈନିକ ଦେଖିବାକୁ ମିଳିଛନ୍ତି। ଭିଡିଓ ଜରିଆରେ ଦାବି କରାଯାଇଛି ଯେ, ସଦ୍ୟତମ ନିଯୁକ୍ତିରେ କଲେଜ୍ ଛାତ୍ରଙ୍କୁ ସେନାରେ ଭର୍ତ୍ତି କରାଯାଉଥିଲା।
ତାଇଓ୍ଵାନ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଏହି ଭିଡିଓ କଥିତ ଭାବେ ଫୁୟାଙ୍ଗ ରେଲଓ୍ଵେ ଷ୍ଟେସନରେ ସୁଟିଂ କରାଯାଇଥିଲା। ସେତିକି ବେଳେ ସୈନିକ ହୁବେଇ ପ୍ରାନ୍ତର ଏକ ସୈନ୍ୟ ଶିବିରକୁ ଯିବାକୁ ପ୍ରସ୍ତୁତ କରୁଥିଲେ।