ବୁଡଗାମ: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର ଏକ ଟିମ୍ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଆହତ ହୋଇଥିବା ଯବାନଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ଆକ୍ରମଣ ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ସିଲ୍ କରିଛନ୍ତି। ଏହି ଘଟଣା ବୁଡଗାମ ଜିଲ୍ଲାର ଚଡୁରା ଅଞ୍ଚଳରେ ଘଟିଛି।
ଆକ୍ରମଣ ସହ ଆତଙ୍କବାଦୀମାନେ ଆହତ ଯବାନଙ୍କ ହାତରୁ ରାଇଫଲ ଛଡ଼ାଇ ନେଇ ଘଟଣାସ୍ଥଳରୁ ପଳାଇଥିବାର ଖବର ରହିଛି। ଆତଙ୍କବାଦୀମାନେ ହଠାତ ସିଆରପିଏଫ ୟୁନିଟ୍ ଉପରେ ଆକ୍ରମଣ କରିଥିଲେ। ଏହାର ଜବାବ ଦେବା ପାଇଁ ସିଆରପିଏଫ ଯବାନ ଗୁଳି ଚଳାଇଥିଲେ। ଦୁଇ ପକ୍ଷ ମଧ୍ୟରେ ଗୁଳିବର୍ଷା ଚାଲୁଥିବା ବେଳେ ଏଏସଆଇ ରାଙ୍କର ଜଣେ ସିଆରପିଏଫ ଅଧିକାରୀ ଆହତ ହୋଇଥିଲେ। ଏହା ପରେ ଆତଙ୍କବାଦୀମାନେ ସେମାନଙ୍କ ରାଇଫଲ ଛଡ଼ାଇ ନେଇ ସେଠାରୁ ଖସି ପଳାଇଥିଲେ। ଜଣେ ସୁରକ୍ଷାକର୍ମୀ କହିଛନ୍ତି ଯେ, ଆତଙ୍କବାଦୀମାନେ ଏକ ମୋଟର ସାଇକେଲରେ ଆସିଥିଲେ। ବର୍ତ୍ତମାନ ଏହି ଆତଙ୍କବାଦୀଙ୍କୁ ଧରିବା ପାଇଁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।