ଯାଜପୁର,୨୫ /୯ : ରୋଗୀ ନଥିବା ଏକ ଆମ୍ବୁଲାନ୍ସ ଧକ୍କା ଦେବାରୁ ଆଜି ଅପରାହ୍ନରେ ୩ଟି ଜୀବନ ଚାଲିଗଲା । ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ଶିଶୁ ଅଛନ୍ତି । ମୃତକମାନେ ହେଲେ କଟକ ସହରର ବଡ଼ାନାସୀର ଗୋପାଳ ସାହିର ଶଙ୍କର ସାହୁ (୫୦), ମାମିନା ସାହୁ (୪୨) ଓ ସଂପୂର୍ଣ୍ଣା ସାହୁ (୫) । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ ଶଙ୍କର ସାହୁ ନିଜର ସ୍ତ୍ରୀ ଓ ଝିଅକୁ ନେ କଟକରୁ ପାଣିକୋଇଲି ଆଡ଼କୁ ଯାଉଥିଲେ । ବିପରୀତ ଦିଗରୁ ଆମ୍ବୁଲାନ୍ସ ଆସି ନେଉଳପୁର ଛକ ଉପରେ ଧକ୍କା ଦେଇଥିଲା । ନେଉଳପୁର ଠାରେ ରାସ୍ତାକାମ ଯୋଗୁଁ ସବୁ ଯାନବାହାନ ଗୋଟିଏ ପାଖ ଦେଇ ଯାଉଥିଲା । ଫଳରେ ବାଇକରେ ଥିବା ୩ ଜଣ ଶକ୍ତ ଧକ୍କା ଖାଇବା ପରେ ତଳେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଆମ୍ବୁଲାନ୍ସର ଡ୍ରାଇଭର ସେଠାରୁ ପଳାୟନ କରିଥିଲା । ସୂଚନା ପାଇଁ ପୁଲିସ ଘଟଣାସ୍ଥଳକୁ ପହଂଚି ୩ ମୃତଦେହ ଉଦ୍ଧାର କରିଛି । ପୁଲିସ ମୃତଦେହଗୁଡ଼ିକ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିବା ବେଳେ ଘଟଣାର ତଦନ୍ତ କରୁଛି ।