ବିହାର,୨୬ /୯ : ବିହାରରେ ପୁଣିଥରେ ଫେରିପାରେ ନୀତିଶକୁମାରଙ୍କ ସରକାର । ସି-ଭୋଟର ଓ ଏବିପି ନ୍ୟୁଜ ପକ୍ଷରୁ ହୋଇଥିବା ସର୍ଭେରେ ନୀତିଶ କୁମାରଙ୍କ ନେତୃତ୍ଵାଧୀନ ଏନଡ଼ିଏ ୧୪୧ରୁ ୧୬୧ ଆସନରେ ବିଜୟୀ ହେବା ପୂର୍ବାନୁମାନ କରାଯାଇଛି । ସେହିପରି ଆରଜେଡ଼ି ନେତୃତ୍ଵାଧୀନ ୟୁପିଏକୁ ୬୪ରୁ ୮୪ ଓ ଅନ୍ୟମାନଙ୍କୁ ୧୩ରୁ ୨୩ ଆସନ ମିଳିପାରେ ବୋଲି ଆକଳନ କରାଯାଇଛି । ବିହାରରେ ନୀତିଶ କୁମାରଙ୍କ ନେତୃତ୍ଵରେ ଏନଡ଼ିଏ ନିର୍ବାଚନ ଲଢ଼ୁଛି । ୟୂପିଏ ପକ୍ଷରୁ ତେଜସ୍ବୀ ଯାଦବ ନିର୍ବାଚନର ନେତୃତ୍ଵ ନେଉଛନ୍ତି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ଆସନ୍ତା ଅକ୍ଟୋବର ୨୮ରୁ ଆରମ୍ଭ ହେବ । ୩ ପର୍ଯ୍ୟାୟରେ ଏହି ନିର୍ବାଚନ ହେବ ଏବଂ ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହେବ ।
ବିହାର ମୁଖ୍ୟମନ୍ତ୍ରୀ ପଦ ଲାଗି ଅନେକ ଦାବିଦାର ଥିଲେ ମଧ୍ୟ ନୀତିଶକୁମାରଙ୍କ ସପକ୍ଷରେ ସର୍ବାଧିକ ମତ ରହିଛି । ନୀତିଶଙ୍କୁ ୩୦.୯% ଲୋକ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଥିବାବେଳେ ତେଜସ୍ବୀ ଯାଦବଙ୍କୁ ୧୫.୪%, ସୁଶୀଲ ମୋଦୀଙ୍କୁ ୯.୨%, ଲାଲୁପ୍ରସାଦ ଯାଦବଙ୍କୁ ୮.୩%, ରାମବିଳାସ ପାଶ୍ଵାନଙ୍କୁ ୬.୫%, ଉପେନ୍ଦ୍ର କୁଶୱାହାଙ୍କୁ ୫.୧%, ଗିରିରାଜ ସିଂହଙ୍କୁ ୬.୨%, ତାରିକ ଅନୱାରଙ୍କୁ ୨.୧% ମୁଖ୍ୟମନ୍ତ୍ରୀ ପଦ ପାଇଁ ପସନ୍ଦ କରିଛନ୍ତି ।