ଭୁବନେଶ୍ୱର,୨୮/ ୯ : ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ କୃଷି ଓ କୃଷକଙ୍କ ସଶକ୍ତୀକରଣ ଲାଗି ‘ବଳରାମ’ ଯୋଜନାର ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ୯ଲକ୍ଷରୁ ଊର୍ଦ୍ଧ୍ବ ଭୂମିହୀନ ତଥା ଭାଗଚାଷୀ ବିଶେଷ ଭାବେ ଉପକୃତ ହେବେ। ଆତ୍ମା ଭିତ୍ତିଭୂମି ଉପଯୋଗ କରାଯାଇ ୫ଲକ୍ଷ ଭାଗଚାଷୀଙ୍କୁ ନେଇ ୧ଲକ୍ଷ ମିଳିତ ଦେୟ ଗୋଷ୍ଠୀ ଗଠନ କରାଯିବ। ଏହା ମାଧ୍ୟମରେ ଭାଗଚାଷୀ ଓ ଭୂମିହୀନ ଚାଷୀମାନେ ବିଭିନ୍ନ ବ୍ୟାଙ୍କରୁ ଫସଲ ଋଣ ପାଇପାରିବେ ବୋଲି କୃଷି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ମାର୍ଗଦର୍ଶିକାରୁ ଜଣାଯାଇଛି।
କୃଷି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଏ ସଂକ୍ରାନ୍ତରେ ରାଜ୍ୟ ଉନ୍ନୟନ କମିଶନରଙ୍କ ସହିତ ଅର୍ଥବିଭାଗ ପ୍ରମୁଖ ସଚିବ, ରାଜସ୍ୱ ବିଭାଗ ପ୍ରମୁଖ ସଚିବ, ସମବାୟ ସଚିବ, ନାବାର୍ଡ, ଓଡ଼ିଶା ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦେଶକଙ୍କୁ ସ୍ପଷ୍ଟ ଭାବେ ଅବଗତ କରାଇଛନ୍ତି। ସେ ଦର୍ଶାଇଛନ୍ତି ଯେ ଭାଗଚାଷୀ ଗୋଷ୍ଠୀଗୁଡିକୁ ବ୍ୟାଙ୍କ ଜରିଆରେ ସର୍ବାଧିକ ୧.୬୦ଲକ୍ଷ ଟଙ୍କା ଲେଖାଏଁ ଫସଲ ଋଣ ଯୋଗାଇ ଦିଆଯିବ। କୃଷକସାଥୀମାନେ ସ୍ଥାନୀୟ ଅଞ୍ଚଳରେ ଅଗ୍ରଣୀ କୃଷକ ଭୂମିକା ଗ୍ରହଣ କରୁଥିବାରୁ ସେମାନେ ମିଳିତ ଦେୟ ଗୋଷ୍ଠୀ ଗଠନ କରିବେ। କୃଷକ ସାଥୀମାନେ ବ୍ୟାଙ୍କରେ କାଗଜଗପତ୍ର କରିବାରେ ସହାୟତା କରିବେ। ନାବାର୍ଡ ବିଭିନ୍ନ ସ୍ତରରେ ସଂପୃକ୍ତ ଥିବା ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି କରିବାରେ ସହାୟତା କରିବେ। ମିଳିତ ଦେୟ ଗୋଷ୍ଠୀକୁ ଫସଲ ଋଣ ଯୋଗାଇ ଦେବାରେ ବ୍ୟାଙ୍କଗୁଡିକୁ ଟାର୍ଗେଟ ଦିଆଯିବ। ଗ୍ରାମ୍ୟ କୃଷି କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି ଭାଗଚାଷୀଙ୍କୁ ଚାଷ ପ୍ରମାଣ ପତ୍ର ପ୍ରଦାନ କରିବେ। ଫସଲ ଅମଳ ପରେ ଓ ବଜାର କ୍ରୟ କେନ୍ଦ୍ରରେ ଉତ୍ପାଦ ବିକ୍ରି ବେଳେ ବ୍ୟାଙ୍କ ଋଣ ପରିଶୋଧ କରିବା ଲାଗି କୃଷକସାଥୀମାନେ ଋଣ ଗ୍ରହିତାଙ୍କୁ ପରାମର୍ଶ ଦେବେ। ଏଥିପାଇଁ ବୈଷୟିକ ସହାୟତା ନିଆଯାଇ ଏକ ପୋର୍ଟାଲର ବିକାଶ କରାଯିବ। ଏଥିରେ ସବୁ ଚାଷୀଙ୍କୁ ଯୋଡାଯିବା ସହିତ ଫସଲ ଅମଳ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ତଥ୍ୟ ରହିବ। କୃଷି ସମ୍ପ୍ରସାରଣ ପରିଚାଳନା ପ୍ରତିଷ୍ଠାନ(ଇମେଜ) ମୁଖ୍ୟ ଭୂମିକା ଗ୍ରହଣ କରିବ। ଯଦି କାର୍ଯ୍ୟାନ୍ୱୟନ ବେଳେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ ତେବେ ତାହାକୁ ମଧ୍ୟ ସଂଶୋଧନ କରାଯାଇ ପାରିବ ବୋଲି ଶ୍ରୀ ବଶିଷ୍ଠ ମାର୍ଗଦର୍ଶିକାରେ ଉଲ୍ଲେଖ କରିଛନ୍ତି।