ବାଲେଶ୍ୱର ,୨୮ /୯ – (ରଞ୍ଜନ ବାଗ) : ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଫକୀରମୋହଙ୍କ ଭୂମି, ଓଡିଆ ଭାଷା ସୁରକ୍ଷା ଭୂମି ବାଲେଶ୍ୱରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସହରର ବିକାଶ ଠାରୁ ଆରମ୍ଭ କରି କୋଭିଡ ଲଢେଇ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବସ୍ତିର ଗରିବ ଲୋକମାନେ ଆଗରେ ରହି କାମ କରୁଛନ୍ତି। ତେଣୁ ବିକାଶ ଉପରେ ମଧ୍ୟ ସେମାନଙ୍କର ସମାନ ଅଧିକାର ରହିଛି । ଏହି ଯୋଜନାରେ ରାଜ୍ୟର ବସ୍ତିରେ ବିଜୁଳି, ଭଲ ପିଇବା ପାଣି, ରାସ୍ତା, ଗୋଷ୍ଠୀକେନ୍ଦ୍ର ଆଦି ନାଗରିକ ସୁବିଧାର ବିକାଶ କରି ବସ୍ତିର ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣାଯିବା ସହିତ ଜୀବିକା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟର ଏକ ହଜାର ବସ୍ତିରେ ଏହି କାର୍ଯ୍ୟକ୍ରମ ତୁରନ୍ତ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଜାଗା ମିଶନ ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲା। ଏପରିକି ଏହି କାର୍ଯ୍ୟକ୍ରମ ବିଶ୍ୱ ସମୁଦାୟର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ କୋଭିଡ ନିୟମାବଳୀ ପାଳନ କରିବା ପାଇଁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ବାଲେଶ୍ବରର ୪୧ଟି ବସ୍ତିର ୨୦୫୪ ଜଣଙ୍କୁ ଏବଂ ସାରା ରାଜ୍ୟରେ ୧,୦୫,୦୦୦ ଲ୍ୟାଣ୍ଡ ଏନଟାଇଟେଲ ସାର୍ଟିଫିକେଟ୍ (ଏଲଇସି) ଆବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପୂର୍ବରୁ ୬୦ ହଜାର ବସ୍ତି ଲୋକଙ୍କୁ ଏଲଇସି ପ୍ରଦାନ କରାଯାଇଛି। ଆଗାମୀ ୩ ମାସ ମଧ୍ୟରେ ୧ ଲକ୍ଷ ୬୫ ହଜାରରୁ ଅଧିକ ଲୋକଏଲଇସି ପାଇବେ। ସୂଚନାଯୋଗ୍ୟ ଯେ ସାରା ରାଜ୍ୟର ୧୦୧ଟି ପୌରାଞ୍ଚଳର ୧୭୧୮ଟି ବସ୍ତିର ସାଢେ ଚାରି ଲକ୍ଷ ଲୋକ ଏଲଇସି ଦ୍ୱାରା ଉପକୃତ ହେବେ।
ବାଲେଶ୍ୱରର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନଗର ଉନ୍ନୟନ ଓ ଗୃହନିର୍ମାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ ସହରର ଅନ୍ୟ ଅଞ୍ଚଳ ସହିତ ବସ୍ତି ଉନ୍ନତିକରଣ ଯୋଜନା ଓ ତାଲିକା ପ୍ରସ୍ତୁତ ହୋଇସାରିଛି । ବର୍ତ୍ତମାନ ବସ୍ତିର ଜନସାଧାରଣ ସହରର ଅନ୍ୟ ଅଞ୍ଚଳ ପରି ସମାନ ସୁବିଧା ଓ ସମାନ ଅଧିକାର ପାଇପାରିବେ। ଗରିବ ଲୋକଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ପାଇଁ ସେ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାତନନ୍ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଜାଗା ମିଶନର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।