ପରିବା ବ୍ୟବସାୟୀଙ୍କଠାରୁ ଲୁଟ୍‍ ଉଦ୍ୟମ : ୪ ଅଭିଯୁକ୍ତ ଗିରଫ, ୨ ବାଇକ ଜବତ

ପିପିଲି : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଜଣେ ପରିବା ବ୍ୟବସାୟୀଙ୍କଠାରୁ ଲୁଟ୍‍ ଉଦ୍ୟମ ବେଳେ ୪ ଜଣ ଯୁବକଙ୍କୁ ପିପିଲି ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ପିପିଲି ଥାନା ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ସୁରଜ ସେଠୀ (୨୧), କାଶୀନାଥ ବେହେରା (୨୨) ଓ ଡେଲାଙ୍ଗ ଥାନା ଶ୍ରୀପତିପୁର ଅଞ୍ଚଳର ଦିବାକର ଜେନା (୨୨) ଓ ସୁବାଷ ସେଠୀ। ସମସ୍ତ ଅଭିଯୁକ୍ତଙ୍କୁ ଆଜି ପିପିଲି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ନିମାପଡା ସ୍ଥିିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ୨୮ ତାରିଖ ବିଳମ୍ବିତ ରାତି ଗୋଟାଏ ସମୟରେ ତେଇସିପୁର ନିକଟବର୍ତ୍ତି ନିର୍ମଳା ଗ୍ରାମର ପରିବା ବ୍ୟବସାୟୀ ଶ୍ରୀରାମ ବେହେରା ଅଟୋରେ ପରିବା ନେଇ ପୁରୀ ଯାଉଥିବା ବେଳେ ତାଙ୍କ ଠାରୁ ଲୁଟ୍‍ ଉଦ୍ୟମ ହୋଇଥିଲା। ଅଭିଯୁକ୍ତମାନେ ଦୁଇଟି ବାଇକରେ ଆସି ଶ୍ରୀରାମଙ୍କ ଅଟୋକୁ ଅଟକାଇ ତାଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ୍‍ କରିବାକୁ ଉଦ୍ୟମ କରିଥିଲେ। ତେବେ ସେଠାରେ ଅନ୍ୟ କେତେକ ପରିବା ବ୍ୟବସାୟୀ ପହଞ୍ଚି ଯାଇଥିବା ବେଳେ ପୁଲିସ ପେଟ୍ରୋଲିଂ ଗାଡି ମଧ୍ୟ ପହଞ୍ଚି ଯାଇଥିଲା। ଘଟଣାସ୍ଥଳରେ ପୁଲିସ ଏହି ୪ ଅଭିଯୁକ୍ତଙ୍କୁ ଗୋଡାଇ ଧରିବା ସହ ସେମାନଙ୍କ ନିକଟରୁ ୨ଟି ବାଇକ୍‍କୁ ଜବତ କରିଥିବା ସଂପର୍କରେ ତଦନ୍ତକାରୀ ଅଧିକାରୀ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି।