ବଳରାମପୁର, ୧/୧୦ : ଉତ୍ତପ୍ରଦେଶର ହାଥରସ ପରେ ବଳରାମପୁରରେ ଆଉ ଜଣେ ୨୨ ବର୍ଷୀୟ ଦଳିତ ଛାତ୍ରୀଙ୍କୁ ଅପହରଣ କରିବା ପରେ ଦୁଷ୍କର୍ମ କରାଯାଇଛି । ଡାକ୍ତରଖାନା ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ପୀଡିତାଙ୍କ ମାଙ୍କ ସୂଚନା ଅନୁସାରେ ଅଭିଯୁକ୍ତମାନେ ତାଙ୍କ ଝିଅର ଅଣ୍ଟା ଏବଂ ଗୋଡ ଭାଙ୍ଗି ଦେଇଥିଲେ । ସେ ଠିଆ ହୋଇପାରୁନଥିଲେ ।
ଯୁବତୀଙ୍କ ସଂପର୍କୀୟଙ୍କ କହିବା ଅନୁସାରେ ଯୁବତୀ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ କଲେଜରେ ଆଡମିଶନ କରିବାକୁ ଘରୁ ବାହାରିଥିଲେ । କିନ୍ତୁ ସେ ଯେତେବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ, ତାଙ୍କୁ ଖୋଜିବା ପାଇଁ ପରିବାର ଲୋକେ ବ୍ୟସ୍ତ ହୋଇଯାଇଥିଲେ । ପାଖାପାଖି ସନ୍ଧ୍ୟା ୭ଟାରେ ପୀଡ଼ିତ ଯୁବତୀ ଏକ ରିକ୍ସାରେ ଗୁରୁତର ଅବସ୍ଥାରେ ପହଂଚିଥିଲେ । ଗାଁର ଡାକ୍ତରଙ୍କୁ ଦେଖାଇବା ପରେ ଯୁବତୀଙ୍କୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପରିବାର ଲୋକଙ୍କ କହିବା ଅନୁସାରେ ଗାଁର କିଛି ଯୁବକ ଦଳିତ ଛାତ୍ରୀଙ୍କୁ ଅପରହଣ କରିଥିଲେ । ଛାତ୍ରୀ ଜଣକ ପଚପେଡୱାର ବିମଳା ବିକ୍ରମ ମହାବିଦ୍ୟାଳୟରୁ ଆଡମିଶନ କରି ଫେରୁଥିଲେ । ପ୍ରାୟ ୬ ଜଣ ଯୁବକ ତାଙ୍କୁ ଅପହରଣ କରିଥିଲେ । ସେମାନେ ଏକ ପରିତ୍ୟକ୍ତ ଘରକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଯୁବତୀଙ୍କ ଚପଲ ରାସ୍ତାରୁ ମିଳିଥିଲା । ପୀଡ଼ିତ ଜଣେ ମେଧାବୀ ଛାତ୍ରୀ ଥିଲେ ଓ ଗାଁରେ ଲୋକଙ୍କୁ ଆଧୁନିକ ପ୍ରଣାଳୀରେ ଚାଷ କାମ କରିବାକୁ ପରାମର୍ଶ ଦେଉଥିଲେ ।